ନ୍ୟୁଜ ଡେକ୍ସ : ଧାର୍ଯ୍ୟ ସୀମାଠାରୁ କୌଣସି ବସ୍ ଅଧିକ ଭଡ଼ା ଆଦାୟ କରିପାରିବେ ନାହିଁ ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ସ୍ପଷ୍ଟ କରିଛନ୍ତି। ଯାତ୍ରୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ନିୟମ ଉଲ୍ଲଙ୍ଘନ କରୁଥିବା ବସ୍ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହା ଅନୁସାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆରଟିଓମାନେ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଗଠନ କରି ବସ୍ ମାନଙ୍କରେ ଅଚାନକ ଯାଞ୍ଚ ଆରମ୍ଭ କରିଛନ୍ତି। ଯାଞ୍ଚ ସମୟରେ ଯାତ୍ରୀମାନଙ୍କ ସହ ଆଲୋଚନା କରାଯାଇ ଭଡ଼ା ସମ୍ପର୍କରେ ସୂଚନା ନିଆଯାଉଛି। ଯାତ୍ରୀବାହୀ ବସ୍ ମାନଙ୍କ ଦ୍ୱାରା ଧାର୍ଯ୍ୟ ସୀମାଠାରୁ ଅଧିକ ଭଡ଼ା ଆଦାୟ ନେଇ ବାରମ୍ବାର ଅଭିଯୋଗ ଆସୁଥିବାରୁ ଏହି ଯାଞ୍ଚକୁ କଡ଼ା କରାଯାଇଛି।ପ୍ରଥମ ଦିନରେ କଟକ ଆରଟିଓଙ୍କ ଏନଫୋର୍ସମେଣ୍ଟ ଟିମ୍ ନିୟମ ଉଲ୍ଲଙ୍ଘନ କରିଥିବା ପାଞ୍ଚଟି ବସ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ମୋଟର ଯାନ ଆଇନର ଧାରା ୧୯୨(କ) ଅନୁଯାୟୀ ଉକ୍ତ ବସ୍ ମାନଙ୍କୁ ଦଶ ହଜାର ଟଙ୍କା କରି ଜରିମାନା କରାଯାଇଛି। ସରକାରଙ୍କ ପକ୍ଷରୁ ବସ୍ ବର୍ଗ ଅନୁଯାୟୀ କିଲୋମିଟର ପିଛା ଭଡ଼ା ଧାର୍ଯ୍ୟ କରାଯାଇଥିବା ବେଳେ ଏହା ଅଫଲାଇନ୍ ଓ ଅନଲାଇନ୍ ଦୁଇ ପ୍ରକାର ଟିକେଟ୍ ପାଇଁ ଲାଗୁ ହୋଇଥାଏ। ଏହି ନିୟମ ପାଳନ କରିବାକୁ ସମସ୍ତ ବସ୍ ମାଲିକ ଓ ପରିଚାଳକମାନଙ୍କୁ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ସୂଚନା ଦିଆଯାଇଛି।
ସେଥିସହ ପ୍ରତ୍ୟେକ ବସରେ ଭଡ଼ା ବିବରଣୀ ସ୍ପଷ୍ଟ ଭାବରେ ପ୍ରଦର୍ଶନ କରିବାକୁ ମଧ୍ୟ କୁହାଯାଇଛି।ଯାତ୍ରୀଙ୍କ ସୁବିଧା ଓ ସଡ଼କ ସୁରକ୍ଷାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ମଧ୍ୟ ଏଭଳି ଯାଞ୍ଚ ଜାରି ରହିବ। କୌଣସି ବସ୍ ନିୟମ ଉଲ୍ଲଙ୍ଘନ କଲେ ମୋଟର ଯାନ ଆଇନ ଅନୁଯାୟୀ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ସରକାର ସଚେତନ କରିଛନ୍ତି।

