ନ୍ୟୁଜ ଡେକ୍ସ : ଏକାମ୍ର କାନନଠାରୁ ଆଇଏମ୍ଏ ପର୍ଯ୍ୟନ୍ତ ସଂଯୋଗ କରୁଥିବା ୨୦୦ ଫୁଟିଆ ରାସ୍ତା ସର୍ବସାଧାରଣଙ୍କ ପାଇଁ ଖୋଲାଯିବା ପରେ ପ୍ରତିଦିନ ହଜାର ହଜାର ଗାଡ଼ି ଏହି ମାର୍ଗ ଦେଇ ଯାତାୟାତ କରୁଛି। ଜୟଦେବବିହାର-ନନ୍ଦନକାନନ ରାସ୍ତାର ଯାତାୟାତ ଚାପ କମାଇବାରେ ଏହା ଏକ ପ୍ରମୁଖ ବିକଳ୍ପ ଭାବେ ଉଭା ହୋଇଛି। କିନ୍ତୁ ରାସ୍ତାର ଆଲୋକ ବ୍ୟବସ୍ଥା ଅଚଳ ହୋଇପଡ଼ିଥିବାରୁ ରାତି ସମୟରେ ଯାତ୍ରୀମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସାଲିଆସାହି ଅଞ୍ଚଳରେ ନୂତନ ଭାବେ ନିର୍ମିତ ପ୍ରାୟ ୯୦୦ ମିଟର ରାସ୍ତାରେ ଆଲୋକ ବ୍ୟବସ୍ଥା ଠିକ୍ ଥିବାବେଳେ ପୁରୁଣା ଅଂଶର ସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ହାତିଆଶୁଣୀ ଛକଠାରୁ ଓଇଆର୍ସି ଛକ ପର୍ଯ୍ୟନ୍ତ ପ୍ରାୟ ୫ କିଲୋମିଟର ରାସ୍ତା ରାତିରେ ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଛି। ଅଧିକାଂଶ ଆଲୋକ ଖୁଣ୍ଟ ଅଚଳ ହୋଇଥିବାରୁ ଯାତାୟାତ କରିବାକୁ ଲୋକେ ଭୟ ପ୍ରକାଶ କରୁଛନ୍ତି।୨୦୨୪ ମସିହାରେ ଏହି ରାସ୍ତାର ଉଦ୍ଘାଟନ ସମୟରେ ରଙ୍ଗିନ ଆଲୋକ ସଜ୍ଜା ଓ ଦୁଇ ପାର୍ଶ୍ୱରେ ଆଲୋକ ଖୁଣ୍ଟ ସ୍ଥାପନ କରାଯାଇଥିଲା। ଏହା ରାସ୍ତାର ସୌନ୍ଦର୍ଯ୍ୟକୁ ବଢ଼ାଇଥିଲା। ମାତ୍ର ଦୁଇ ବର୍ଷ ମଧ୍ୟ ପୂରଣ ହୋଇନଥିବାବେଳେ ଅଧିକାଂଶ ଆଲୋକ ଅଚଳ ହୋଇଯାଇଛି। କେତେକ ସ୍ଥାନରେ ରଙ୍ଗିନ ଆଲୋକ ଖସିପଡ଼ିଥିବାବେଳେ ଅନେକ ସ୍ଥାନରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଅନ୍ଧାର ଯୋଗୁଁ ପ୍ରତିଦିନ ଦୁର୍ଘଟଣା ଘଟୁଛି। ସନ୍ଧ୍ୟା ସମୟରେ କିଛି ଯୁବକ ଓ ଯୁବତୀ ରାସ୍ତା ପାର୍ଶ୍ୱକୁ ବିଶ୍ରାମ ସ୍ଥଳୀ ଭାବେ ବ୍ୟବହାର କରୁଥିବାରୁ ଅବ୍ୟବସ୍ଥା ମଧ୍ୟ ବଢ଼ୁଛି। ଏହା ସହ ଛିନତାଇ ଭଳି ଅପରାଧିକ ଘଟଣା ମଧ୍ୟ ବଢ଼ୁଥିବା ଅଭିଯୋଗ ହେଉଛି।ଉତ୍କଳ ହସ୍ପିଟାଲଠାରୁ ଓଇଆର୍ସି ପର୍ଯ୍ୟନ୍ତ ବିସ୍ତୃତ ରାସ୍ତା ଏବଂ ପାୱାରଗ୍ରିଡ୍ ସମ୍ମୁଖ ଅଞ୍ଚଳ ମଧ୍ୟ ରାତିରେ ଅନ୍ଧାରରେ ରହୁଛି। ଫଳରେ ରାସ୍ତାରେ ଥିବା ଉଚ୍ଚ ଭାଗଗୁଡ଼ିକ ସ୍ପଷ୍ଟ ଦେଖାଯାଉ ନଥିବାରୁ ଦୁର୍ଘଟଣା ଘଟୁଛି। ତେଣୁ ତୁରନ୍ତ ଆଲୋକ ବ୍ୟବସ୍ଥାର ମରାମତି କରି ରାସ୍ତାକୁ ସୁରକ୍ଷିତ କରିବାକୁ ବିଭିନ୍ନ ମହଲରୁ ଦାବି ଜୋର ଧରିଛି।

