ନ୍ୟୁଜ ଡେକ୍ସ : ଆଇପିଏଲ୍ ୨୦୨୬ର ଆରମ୍ଭ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁ ଶାନ୍ଦାର ପ୍ରଦର୍ଶନ କରି ସନରାଇଜର୍ସ ହାଇଦ୍ରାବାଦ୍କୁ ୬ ୱିକେଟ୍ରେ ପରାଜିତ କରିଛି। ଡିଫେଣ୍ଡିଙ୍ଗ୍ ଚାମ୍ପିୟନ୍ ଭାବେ ଆରସିବି ଏହି ବିଜୟ ସହିତ ନୂତନ ମୌସମରେ ଶୁଭାରମ୍ଭ କରିଛି।ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଏସଆରଏଚ ୨୦ ଓଭରରେ ୯ ୱିକେଟ୍ ହରାଇ ୨୦୧ ରନ୍ ସଂଗ୍ରହ କରିଥିଲା।
ଦଳ ପକ୍ଷରୁ ଇଶାନ୍ କିଶନ୍ ୩୮ ବଲରେ ଦମଦାର ୮୦ ରନ୍ କରିଥିଲେ। ଅନିକେତ୍ ବର୍ମା ୪୩ ରନ୍ ଏବଂ ହେନ୍ରିକ୍ କ୍ଲାସେନ୍ ୩୧ ରନ୍ ଯୋଡ଼ିଥିଲେ।ଆରସିବି ପକ୍ଷରୁ ଜେକବ୍ ଡଫି ଓ ରୋମେରିଓ ଶେଫର୍ଡ ପ୍ରତ୍ୟେକ ୩ଟି କରି ୱିକେଟ୍ ନେଇ ଏସଆରଏଚକୁ ବଡ଼ ସ୍କୋରରୁ ରୋକିଥିଲେ।୨୦୨ ରନ୍ର ଟାର୍ଗେଟ୍କୁ ଚେଜ୍ କରିବାକୁ ନାମିଥିବା ଆରସିବି ଆରମ୍ଭରୁ ଆକ୍ରମଣାତ୍ମକ ଭାବେ ଖେଳିଥିଲା। ଇମ୍ପାକ୍ଟ ପ୍ଲେୟାର୍ ଭାବେ ଦେବଦତ୍ତ ପଡିକ୍କଲ୍ ୨୬ ବଲରେ ୬୧ ରନ୍ କରି ଦଳକୁ ଦୃଢ଼ ଆଧାର ଦେଇଥିଲେ।
ରଜତ୍ ପାଟିଦାର ୩୧ ରନ୍ ଯୋଡ଼ିଥିଲେ। ଶେଷରେ ବିରାଟ୍ କୋହଲି ଅପରାଜିତ ୬୯ ରନ୍ କରି ଦଳକୁ ସହଜ ବିଜୟ ଦେଇଥିଲେ। ସେ ୩୮ ବଲରେ ୫ଟି ଚୌକା ଓ ୫ଟି ଛକ୍କା ମାରି ଦମଦାର ଇନିଂସ ଖେଳିଥିଲେ।ଏହି ବିଜୟ ସହ ଆରସିବି ଏସଆରଏଚ ବିରୋଧରେ ୧୯୦ରୁ ଅଧିକ ଟାର୍ଗେଟ୍କୁ ପ୍ରଥମ ଥର ପାଇଁ ସଫଳତାର ସହ ଚେଜ୍ କରି ନୂତନ ଇତିହାସ ଗଢ଼ିଛି। ମ୍ୟାଚ୍ ଶେଷ ହେବାକୁ ୨୬ ବଲ୍ ବାକି ଥିବାବେଳେ ଦଳ ବିଜୟ ହାସଲ କରିଛି।

