ନ୍ୟୁଜ ଡେକ୍ସ : ଆଜିଠୁ ଆରମ୍ଭ ହେଉଛି ସବୁଠାରୁ ଲୋକପ୍ରିୟ ଟି-୨୦ ଲିଗ୍ ଆଇପିଏଲ୍। ଫଟାଫଟା କ୍ରିକେଟର ଏହି ମହାକୁମ୍ଭକୁ ନେଇ ଦେଶ ଓ ବିଦେଶର କ୍ରିକେଟ୍ ପ୍ରେମୀମାନଙ୍କ ମଧ୍ୟରେ ଅସୀମ ଉତ୍ସାହ ଦେଖାଯାଉଛି। ଉଦଘାଟନୀ ମ୍ୟାଚ୍ରେ ଗତ ବର୍ଷର ବିଜେତା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ସନ୍ ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଜୋରଦାର ମୁକାବିଲା ହେବ। ବେଙ୍ଗାଲୁରୁର ଐତିହାସିକ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଆଜି ସନ୍ଧ୍ୟା ୭ଟା ୩୦ରେ ଆରମ୍ଭ ହେବ।
ଏହି ସିଜନ୍ର ଆରମ୍ଭରୁ ହିଁ ଦୁଇ ଦଳରେ ନେତୃତ୍ୱ ସମ୍ପର୍କିତ ଚର୍ଚ୍ଚା ଚାଲିଛି। ସନ୍ ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ପ୍ୟାଟ୍ କମିନ୍ସ ଆହତ ଥିବାରୁ ତାଙ୍କ ସ୍ଥାନରେ ଇଶାନ କିଷାନ ଅଧିନାୟକ ଭାବେ ଦଳକୁ ନେତୃତ୍ୱ ଦେବେ। ଅନ୍ୟପଟେ ଆରସିବି ପକ୍ଷରୁ ରଜତ ପାଟିଦାରଙ୍କୁ ଅଧିନାୟକ ଭାବେ ଦାୟିତ୍ୱ ଦିଆଯାଇଛି। ଦୁଇ ଦଳରେ ଶକ୍ତିଶାଳୀ ଖେଳାଳି ଥିବାରୁ ଆରମ୍ଭ ମ୍ୟାଚ୍ରୁ ହିଁ ଦର୍ଶକମାନେ ଏକ ରୋମାଞ୍ଚକର ଖେଳ ଦେଖିବାକୁ ଆଶା କରୁଛନ୍ତି। ୧୯ତମ ଆଇପିଏଲ୍ ସଂସ୍କରଣରେ ଏହି ବର୍ଷ ମୋଟ ୧୦ଟି ଦଳ ଭାଗ ନେଉଛନ୍ତି। ଆଗାମୀ କିଛି ସପ୍ତାହ ଧରି ଦେଶର ବିଭିନ୍ନ ଷ୍ଟାଡିୟମ୍ରେ ଏହି ଲିଗ୍ର ମ୍ୟାଚ୍ଗୁଡିକ ଖେଳାଯିବ। ପ୍ରତିଦିନ ରୋମାଞ୍ଚକର ମୁକାବିଲା ସହ ଦର୍ଶକମାନେ ମଜା ଉଠାଇବେ ବୋଲି ଆଶା କରାଯାଉଛି।
ତେବେ ଏଥର ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ମ୍ୟାଚ୍ ଆୟୋଜନରେ ଏକ ଭାବପ୍ରବଣ ପରିବେଶ ମଧ୍ୟ ଜଡିତ ରହିଛି। ଗତ ବର୍ଷ ଜୁନ୍ ୪ ତାରିଖରେ ଆରସିବିର ବିଜୟ ଉତ୍ସବ ସମୟରେ ଷ୍ଟାଡିୟମ୍ ବାହାରେ ଘଟିଥିବା ଦୁଃଖଦ ଦୁର୍ଘଟଣାରେ ୧୧ ଜଣଙ୍କ ପ୍ରାଣହାନୀ ଘଟିଥିଲା। ସେହି ଘଟଣା ପରେ ଦୀର୍ଘ ସମୟ ଧରି ଏଠାରେ କୌଣସି ମ୍ୟାଚ୍ ଆୟୋଜନ ହୋଇନଥିଲା।କର୍ଣ୍ଣାଟକ ସରକାରଙ୍କ ଅନୁମତି ପରେ ପୁନର୍ବାର ଏହି ଷ୍ଟାଡିୟମ୍ରେ ମ୍ୟାଚ୍ ଆୟୋଜନ ହେଉଥିବା ବେଳେ, ମୃତକମାନଙ୍କ ସ୍ମୃତିକୁ ସମ୍ମାନ ଜଣାଇବା ପାଇଁ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ ଓ ଆରସିବି ପରିଚାଳନା ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି।
ଷ୍ଟାଡିୟମ୍ରେ ୧୧ଟି ସିଟ୍ ଖାଲି ରଖାଯିବ, ଯାହା ସେହି ଦିଂବଗନ୍ତମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ ରହିବ। ଏହିପରି ପରିସ୍ଥିତିରେ ଆଇପିଏଲ୍ର ଆରମ୍ଭ ହେଉଥିବା ବେଳେ ଏହା କେବଳ ମନୋରଞ୍ଜନ ନୁହେଁ, ଏକ ଭାବନା ଓ ସ୍ମୃତି ସହିତ ମଧ୍ୟ ଜଡିତ ରହିଛି। କ୍ରିକେଟ୍ ପ୍ରେମୀମାନେ ଏବେ ଏହି ମହାଲିଗ୍ର ଆରମ୍ଭକୁ ଆତୁରତାର ସହିତ ଅପେକ୍ଷା କରିଛନ୍ତି ।

