Sun. Apr 19th, 2026

ନ୍ୟୁଜ ଡେକ୍ସ : ପୁରୀରେ ଆଜିଠୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଅଳଙ୍କାର ଗଣତି ଓ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହେଉଛି। ଏହା ପାଇଁ ପୂର୍ବରୁ ସଂପୂର୍ଣ୍ଣ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଗଣତି ସମୟରେ ଫଟୋଗ୍ରାଫି, ଭିଡିଓଗ୍ରାଫି ସହ ଥ୍ରୀ-ଡି ମ୍ୟାପିଂ କରାଯିବାରୁ ପ୍ରକ୍ରିୟାରେ ସ୍ୱଚ୍ଛତା ରହିବ ବୋଲି କୁହାଯାଇଛି।ଏହାକୁ ନେଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଏବଂ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଉପସ୍ଥିତିରେ ଏହି ଗଣନା ପ୍ରକ୍ରିୟା ପାଇଁ ଚୂଡ଼ାନ୍ତ ରୂପରେଖ ନିର୍ଦ୍ଧାରଣ କରାଯାଇଛି।ପର୍ଯ୍ୟାୟକ୍ରମେ ଗଣତି କାର୍ଯ୍ୟ ସଂପନ୍ନ ହେବ। ପ୍ରଥମେ ବାହାର ଭଣ୍ଡାରରେ ରହିଥିବା ଚଳନ୍ତି ଅଳଙ୍କାରର ଗଣତି ହେବା ପରେ ଭିତର ଭଣ୍ଡାରର ଅଳଙ୍କାର ଯାଞ୍ଚ କରାଯିବ।ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତିରେ କୌଣସି ବାଧା ନପଡ଼ିବା ପାଇଁ ବିଶେଷ ଧ୍ୟାନ ଦିଆଯାଇଛି। ପର୍ବପର୍ବାଣି କିମ୍ବା ଭିଡ଼ ସମୟରେ ଗଣତି କାର୍ଯ୍ୟ ବନ୍ଦ ରଖାଯିବ। ଗଣତି ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ରତ୍ନଭଣ୍ଡାରର ଚାବି ଜିଲ୍ଲାପାଳଙ୍କ ପାଖରେ ରହିବା ସହ ସାଧାରଣ ଶ୍ରଦ୍ଧାଳୁମାନେ ବ୍ୟାରିକେଡ୍ ବାହାରେ ରହିବେ।୧୯୭୮ ମସିହାର ତାଲିକା ସହ ସମସ୍ତ ଅଳଙ୍କାର ମେଳ କରାଯିବ। ବର୍ତ୍ତମାନ ପର୍ଯ୍ୟାୟରେ କେବଳ ଗଣତି ଓ ଯାଞ୍ଚ କାର୍ଯ୍ୟ ହେବ ଏବଂ ଅଳଙ୍କାରର ଆର୍ଥିକ ମୂଲ୍ୟ ନିର୍ଦ୍ଧାରଣ କରାଯିବ ନାହିଁ।ଏହି ସମଗ୍ର ପ୍ରକ୍ରିୟା ଉପରେ ରତ୍ନଭଣ୍ଡାର କମିଟି, ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତମାନେ ମିଳିତ ଭାବେ ନଜର ରଖିବେ।

Leave a Reply

Your email address will not be published. Required fields are marked *