ନ୍ୟୁଜ ଡେକ୍ସ : ଭୁବନେଶ୍ୱରରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥଯାତ୍ରା ଉପଲକ୍ଷେ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ସଂସ୍ଥା ପକ୍ଷରୁ ପଞ୍ଚଦଶ ଲିଙ୍ଗରାଜ ମହୋତ୍ସବ ଆୟୋଜିତ ହେବ। ଆସନ୍ତା ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ୬ ଦିନ ଧରି ଏହି ମହୋତ୍ସବ ଚାଲିବ।ଉତ୍ସବରେ ୭୦୦ରୁ ଅଧିକ କଳାକାର ଯୋଗଦେବେ।
ଓଡ଼ିଶାର ସମୃଦ୍ଧ କଳା ଓ ସଂସ୍କୃତିକୁ ପ୍ରୋତ୍ସାହନ ଦେବା ସହ ରୁକୁଣା ରଥଯାତ୍ରାର ଗୌରବକୁ ଆରୋହିତ କରିବା ଲକ୍ଷ୍ୟରେ ଏହି ମହୋତ୍ସବ ଆୟୋଜନ କରାଯାଉଛି ବୋଲି ସଂସ୍ଥାର ସଭାପତି ସୁରେଶ କୁମାର ରାଉତରାୟ ଓ ସାଧାରଣ ସମ୍ପାଦକ ସନତ ମିଶ୍ର ସୂଚନା ଦେଇଛନ୍ତି।ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେମାନେ କହିଛନ୍ତି ଯେ, ଚଳିତବର୍ଷ ଓଡ଼ିଶା ସହ ପଡୋଶୀ ରାଜ୍ୟର ଅନେକ ପ୍ରସିଦ୍ଧ କଳାକାର ମଧ୍ୟ ନୃତ୍ୟ ପରିବେଷଣ କରିବେ। ଗୁରୁ ଗଜେନ୍ଦ୍ର ପଣ୍ଡା ଓ ଗୁରୁ ପ୍ରତିଭା ପଣ୍ଡାଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ସଂସ୍ଥାର କଳାକାରମାନେ ଅଂଶଗ୍ରହଣ କରିବେ।
ଏଥିରେ ଓଡ଼ିଶା କଳା ବିକାଶ କେନ୍ଦ୍ର, ବୀଣାପାଣି କଳାନିକେତନ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ସତ୍ୟବାଦୀ ମହାବିଦ୍ୟାଳୟ, ଓଡ଼ିଶା ଡ୍ୟାନ୍ସ ଏକାଡ଼େମୀ, ତ୍ରିଧାରା, କୋଶଳ ଫୋକସ ଡ୍ୟାନ୍ସ ଏକାଡ଼େମୀ ସହ ୩୪ଟି ଟ୍ରୁପ୍ର କଳାକାରମାନେ ଓଡ଼ିଶୀ, ଭାରତନାଟ୍ୟମ, ପୁରୁଲିଆ ଛଉ, ଆଦିବାସୀ ନୃତ୍ୟ, ପାଇକ ଆଖଡ଼ା ଓ ଘୋଡ଼ାନାଚ ଭଳି ବିଭିନ୍ନ ନୃତ୍ୟ ପରିବେଷଣ କରିବେ।ଉତ୍ସବର ମଞ୍ଚ ପରିଚାଳନା ବାସୁଦେବ ନାଥ କରିବେ।
ଏହି ଅବସରରେ ଗୁରୁ ଗଜେନ୍ଦ୍ର ପଣ୍ଡା, ଗୁରୁ ପ୍ରତିଭା ପଣ୍ଡା, ଶିବାନନ୍ଦ ରାୟ, ରତିକାନ୍ତ ମହାସୁଆର ଓ ଅନ୍ୟାନ୍ୟ ସଂଗଠକମାନେ ଉପସ୍ଥିତ ଥିଲେ।ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରୀ ରବିନାରାୟଣ ନାଏକ, ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

