ନ୍ୟୁଜ ଡେକ୍ସ : ଆରବ ସାଗରରେ ଏକ ପାକିସ୍ତାନୀ ମାଲବାହୀ ବିମାନ ନିଖୋଜ ହୋଇଯାଇଛି। ବିମାନରେ ୫ ଜଣ ଥିବା ବେଳେ ଏହି ଘଟଣାକୁ ପାକିସ୍ତାନର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ (ସିଏଏ) ନିଶ୍ଚିତ କରିଛନ୍ତି।ସୂଚନା ଅନୁଯାୟୀ, ମଙ୍ଗଳବାର ବିଳମ୍ବିତ ରାତିରେ କରାଚୀ ଉପକୂଳ ନିକଟରେ ଆରବ ସାଗର ଉପରେ ଉଡ଼ୁଥିବା ବେଳେ ବିମାନଟି ହଠାତ୍ ବିମାନ ଟ୍ରାଫିକ୍ ନିୟନ୍ତ୍ରଣ ସହ ଯୋଗାଯୋଗ ହରାଇଥିଲା।
ଏହାପୂର୍ବରୁ ବିମାନଟି ଦ୍ରୁତ ଅବତରଣ କରୁଥିବା ରାଡାରରେ ଦେଖାଯାଇଥିଲା।ବୋଇଂ ୭୩୭ କାର୍ଗୋ ବିମାନଟି କେ-୨ ଏୟାରୱେଜର ଥିଲା ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ସାରଜାହରୁ କରାଚୀ ଅଭିମୁଖେ ଯାତ୍ରା କରୁଥିଲା। ସ୍ଥାନୀୟ ସମୟ ରାତି ୯ଟା ୧୮ ମିନିଟରେ ବିମାନର ନାଭିଗେସନ୍ ବ୍ୟବସ୍ଥାରେ ତ୍ରୁଟି ଦେଖାଦେଇଥିବା ନେଇ ପାଇଲଟ୍ ସୂଚନା ଦେଇଥିଲେ।ଏହାର କିଛି ମିନିଟ୍ ପରେ ରାଡାରରେ ବିମାନଟି ହଠାତ୍ ଦିଗ ପରିବର୍ତ୍ତନ କରି ଦ୍ରୁତ ଅବତରଣ କରୁଥିବା ଦେଖାଯାଇଥିଲା।
ରାତି ୯ଟା ୨୧ ମିନିଟରେ କରାଚୀଠାରୁ ପ୍ରାୟ ୨୮୭ କିଲୋମିଟର ପଶ୍ଚିମରେ ବିମାନ ସହ ରାଡାର ଏବଂ ରେଡିଓ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଥିଲା।ବିମାନଟି କେଉଁ କାରଣରୁ ନିଖୋଜ ହେଲା, ସେନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ପାକିସ୍ତାନର ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରିଥିବା ବେଳେ ନିଖୋଜ ବିମାନ ଏବଂ ସେଥିରେ ଥିବା ଲୋକଙ୍କ ସନ୍ଧାନ ଜାରି ରହିଛି।

