ନ୍ୟୁଜ ଡେକ୍ସ : ଆଜିଠାରୁ ଓଡିଶା ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ଏହି ଅଧିବେଶନରେ ରାଜ୍ୟ ସରକାର ୨୦୨୬–୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣକାଳୀନ ବଜେଟ୍ ଗୃହରେ ଉପସ୍ଥାପନ କରିବେ। ଅଧିବେଶନର ପ୍ରଥମ ଦିନ ‘ଜୟ ଜଗନ୍ନାଥ’ କହି ରାଜ୍ୟପାଳ ହରିବାବୁ କମ୍ଭମପତି ତାଙ୍କ ଅଭିଭାଷଣ ଆରମ୍ଭ କରିଥିଲେ।
ରାଜ୍ୟପାଳ କହିଥିଲେ ଯେ ସମୃଦ୍ଧ ଓଡିଶା ଗଠନ ପାଇଁ ସରକାର ପୂର୍ଣ୍ଣ ପ୍ରତିବଦ୍ଧ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଓଡିଶାକୁ ବଡ଼ ବଡ଼ ପ୍ରକଳ୍ପ ଦେଉଥିବା କଥା ସେ ଉଲ୍ଲେଖ କରିଥିଲେ। ୨୦୩୬ରେ ଓଡିଶା ଗଠନକୁ ୧୦୦ ବର୍ଷ ପୂରିବା ପରିପ୍ରେକ୍ଷିତରେ ରାଜ୍ୟକୁ ଆତ୍ମନିର୍ଭର ଭାରତର ଏକ ସେମିକଣ୍ଡକ୍ଟର ହବ୍ ଭାବେ ଗଢ଼ି ତୋଳିବା ଲକ୍ଷ୍ୟ ରଖାଯାଇଛି। ୨୦୩୬ ଓ ୨୦୪୭ ପାଇଁ ରୋଡମ୍ୟାପ୍ ପ୍ରସ୍ତୁତ ହୋଇଥିବା ସହ ୨୦୪୭ ସୁଦ୍ଧା ମୁଣ୍ଡପିଛା ଆୟ ୩୨ ଲକ୍ଷ ଟଙ୍କାକୁ ବଢ଼ାଇବାର ଯୋଜନା ଘୋଷଣା କରାଯାଇଛି।
ସହରୀ ବିକାଶ, ଭିତ୍ତିଭୂମି ସୁଦୃଢ଼ କରିବା ଏବଂ ସାମାଜିକ ଉନ୍ନତି ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ବହୁମୁଖୀ ଦାରିଦ୍ର୍ୟକୁ ୫ ପ୍ରତିଶତକୁ କମାଇବା, ମହିଳା ଶ୍ରମ ଶକ୍ତିକୁ ୭୦ ପ୍ରତିଶତକୁ ବୃଦ୍ଧି କରିବା ଏବଂ ରାଜ୍ୟରୁ ଅପପୃଷ୍ଟି ଓ ରକ୍ତହୀନତା ଦୂର କରିବା ସରକାରଙ୍କ ପ୍ରମୁଖ ଲକ୍ଷ୍ୟ ରହିଛି।ଏହାପରେ ଗୁରୁବାର ପର୍ଯ୍ୟନ୍ତ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେବ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬–୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଗୃହରେ ଉପସ୍ଥାପନ କରିବେ। ଏହି ବଜେଟ୍ ଅଧିବେଶନ ଶାସକ, ବିରୋଧୀ ଓ ସାଧାରଣ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଭାବେ ଦେଖାଯାଉଛି।

