ନ୍ୟୁଜ ଡେକ୍ସ : ଚଳିତବର୍ଷ ଯୁକ୍ତ୨ ପରୀକ୍ଷାର ଉତ୍ତର ଖାତା ମୂଲ୍ୟାୟନ ପ୍ରକ୍ରିୟା ଆସନ୍ତା ଏପ୍ରିଲ୍ ୨ ତାରିଖରୁ ଆରମ୍ଭ ହେବ। ଏଥର ମଧ୍ୟ ଦୁଇଟି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ କରାଯିବ ବୋଲି ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ମିଳିଛି। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ୍ ୨ରୁ ୧୩ ତାରିଖ ପର୍ଯ୍ୟନ୍ତ ଓ ଦ୍ବିତୀୟ ପର୍ଯ୍ୟାୟରେ ଏପ୍ରିଲ୍ ୧୫ରୁ ୨୬ ତାରିଖ ପର୍ଯ୍ୟନ୍ତ ମୂଲ୍ୟାୟନ ପ୍ରକ୍ରିୟା ଚାଲିବ।
ପରିଷଦର ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ାଙ୍କ କହିବା ଅନୁଯାୟୀ, ଏବର୍ଷ ବିଜ୍ଞାନ, ବାଣିଜ୍ୟ ଓ କଳା ବିଭାଗର କିଛି ବିଷୟର ଉତ୍ତର ଖାତାଗୁଡ଼ିକୁ ଇ-ମୂଲ୍ୟାୟନ ପ୍ରଣାଳୀରେ ଯାଞ୍ଚ କରାଯିବ। ଏହା ସହିତ କଳା ଓ ଧନ୍ଦାମୂଳକ ବିଭାଗର କିଛି ବିଷୟର ଖାତା ମାନୁଆଲ୍ ପ୍ରଣାଳୀରେ ମୂଲ୍ୟାୟନ କରାଯିବ। ଦୁଇ ପର୍ଯ୍ୟାୟରେ ମୋଟ ୧୬ ହଜାର ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଏହି କାମରେ ନିଯୁକ୍ତ କରାଯିବ।ଇ-ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ କମ୍ପ୍ୟୁଟର ଯେପରି ହ୍ୟାଙ୍ଗ ନ ହେବ ଓ ପ୍ରକ୍ରିୟା ସୁଚାରୁ ଭାବରେ ଚାଲିବ, ସେଥିପାଇଁ ସ୍ୱତନ୍ତ୍ର କର୍ମଚାରୀ ନିଯୁକ୍ତ କରାଯିବ। ପରିଷଦର ଲକ୍ଷ୍ୟ ରହିଛି ଯେ ଏପ୍ରିଲ୍ ମାସ ମଧ୍ୟରେ ସମ୍ପୂର୍ଣ୍ଣ ମୂଲ୍ୟାୟନ ପ୍ରକ୍ରିୟା ଶେଷ କରି ମେ’ ମାସର ତୃତୀୟ ସପ୍ତାହରେ ଫଳାଫଳ ପ୍ରକାଶ କରାଯିବ।
ଏବର୍ଷ ଉଭୟ ଅଫ୍ଲାଇନ୍ ଓ ଅନଲାଇନ୍ ମୂଲ୍ୟାୟନ ପାଇଁ ମୋଟ ୧୫୧ଟି ମୂଲ୍ୟାୟନ କେନ୍ଦ୍ର ବ୍ୟବସ୍ଥା କରାଯାଇଛି। ସେଥିମଧ୍ୟରୁ ୭୬ଟି କେନ୍ଦ୍ର ଅଫ୍ଲାଇନ୍ ମୂଲ୍ୟାୟନ ପାଇଁ ଓ ୭୫ଟି କେନ୍ଦ୍ର ଅନଲାଇନ୍ ମୂଲ୍ୟାୟନ ପାଇଁ ରହିଛି। ପ୍ରଥମ ପର୍ଯ୍ୟାୟରେ ଅନଲାଇନ୍ ଖାତା ମୂଲ୍ୟାୟନ ପାଇଁ ୩୫୦୦ ଅଧ୍ୟାପକ ଓ ଅଫ୍ଲାଇନ୍ ପାଇଁ ୪୫୦୦ ଅଧ୍ୟାପକ ନିଯୁକ୍ତ ହେବେ। ଦ୍ବିତୀୟ ପର୍ଯ୍ୟାୟରେ ପ୍ରାୟ ୮ ହଜାର ମୂଲ୍ୟାୟନକାରୀ ଏହି କାର୍ଯ୍ୟରେ ସାମିଲ ହେବେ।ସୂଚନା ଅନୁଯାୟୀ, ଏବର୍ଷ ପ୍ରାୟ ୨୫ ଲକ୍ଷ ଉତ୍ତର ଖାତା ମୂଲ୍ୟାୟନ କରାଯିବ। ସେଥିରୁ ପ୍ରାୟ ୧୫ ଲକ୍ଷ ଖାତା ଅଫ୍ଲାଇନ୍ ଓ ପ୍ରାୟ ୧୦ ଲକ୍ଷ ଖାତା ଅନଲାଇନ୍ ପ୍ରଣାଳୀରେ ଯାଞ୍ଚ କରାଯିବ। ଚାରୋଟି ବିଭାଗର ଖାତା ଏକାସାଥିରେ ଦେଖାଯିବାକୁ ଥିବାରୁ ସମସ୍ତ ମୂଲ୍ୟାୟନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ମୂଲ୍ୟାୟନକାରୀ ଅଧ୍ୟାପକମାନେ ନିର୍ଦ୍ଧାରିତ ସମୟରେ କେନ୍ଦ୍ରରେ ପହଞ୍ଚିବେ ଓ ପ୍ରତିଦିନର କାର୍ଯ୍ୟ ଶେଷ ହେଉନଥିଲେ ପର୍ଯ୍ୟନ୍ତ କେହି କେନ୍ଦ୍ର ଛାଡ଼ି ପାରିବେ ନାହିଁ। ତାଙ୍କ ପ୍ରବେଶ ଓ ପ୍ରସ୍ଥାନ ସମୟକୁ ଏକ ରେଜିଷ୍ଟରରେ ଲେଖାଯିବ। ମୂଲ୍ୟାୟନ କେନ୍ଦ୍ରକୁ ମୋବାଇଲ୍ ଫୋନ୍ ଓ ଅନ୍ୟାନ୍ୟ ବୈଦ୍ୟୁତିକ ସାମଗ୍ରୀ ନେବା ଉପରେ କଟକଣା ଲାଗୁ ହେବ। ପ୍ରତିଦିନ ପୂର୍ବାହ୍ଣ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖାତା ମୂଲ୍ୟାୟନ ଚାଲିବ। ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ମୂଲ୍ୟାୟନ କେନ୍ଦ୍ରର ସୁପରିନ୍ଟେଣ୍ଡେଣ୍ଟମାନେ ପୁଲିସର ସହଯୋଗ ନେବେ।
ଅନ୍ୟପକ୍ଷରେ ବାକି ଥିବା ବିଷୟଗୁଡ଼ିକର ପରୀକ୍ଷା ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରଶ୍ନପତ୍ର ସମସ୍ତ ପରୀକ୍ଷା ପରିଚାଳନା ହବ୍କୁ ପଠାଯାଇଛି ଓ ସେଗୁଡ଼ିକ ସୁରକ୍ଷିତ ଭାବେ ପହଞ୍ଚିଥିବା ଜଣାପଡ଼ିଛି। କପି ରୋକିବା ଦିଗରେ ମଧ୍ୟ ପରିଷଦ ବଡ଼ ସଫଳତା ପାଇଛି। ଏପର୍ଯ୍ୟନ୍ତ କେବଳ ୧୪ ଜଣ ଛାତ୍ରଛାତ୍ରୀ ମାଲପ୍ରାକ୍ଟିସ୍ରେ ଧରାପଡ଼ିଥିବା ବୋଲି ପରୀକ୍ଷା ନିୟନ୍ତ୍ରକ ପ୍ରଶାନ୍ତ କୁମାର ପରିଡ଼ା ସୂଚନା ଦେଇଛନ୍ତି।

