Mon. Apr 20th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଦୁର୍ନୀତି ବୃଦ୍ଧି ପାଉଥିବା ନେଇ ସରକାର ଚିନ୍ତା ପ୍ରକାଶ କରିଛନ୍ତି। ବିଶେଷ କରି ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଏହା ଅଧିକ ପରିଲକ୍ଷିତ ହେଉଥିବାରୁ ସରକାରୀ କାର୍ଯ୍ୟରେ କୌଣସି ପ୍ରକାର ଦୁର୍ନୀତି ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦୁର୍ନୀତିର ଅଭିଯୋଗ ଆସିଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରାଯାଇଛି।

ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ୟୁଏଲବି ବୈଠକରେ ଅଧିକାରୀ, କର୍ପୋରେଟର ଓ ମେୟରମାନଙ୍କୁ ଦୁର୍ନୀତିରେ ଲିପ୍ତ ନହେବା ପାଇଁ କଡା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯଦି କେହି ଦୁର୍ନୀତି କାରବାରରେ ଲିପ୍ତ ହୁଅନ୍ତି, ତେବେ ସେମାନେ ଭିଜିଲାନ୍ସ ଜାଲରେ ପଡିବେ।ଖାରବେଳ ଭବନରେ ଚାଲିଥିବା ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା କାର୍ଯକ୍ରମରେ ବିଭାଗୀୟ ଅଧିକାରୀ, କର୍ପୋରେଟର ଓ ମେୟରମାନଙ୍କୁ ସେ ଏହି ଚେତାବନୀ ଦେଇଥିଲେ। ବୈଠକରେ ବସ୍ତିମୁକ୍ତ ସହର ଗଠନ ଓ ରାସ୍ତା କଡରେ ଝୁମ୍ପୁଡି ଦୋକାନ ନରହିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ବସ୍ତି ହଟାଇ ସରକାରୀ ଗୃହ ବଣ୍ଟନ କରାଯିବା ସହ ସରକାରୀ ଜମିରେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ଏକ ପୋର୍ଟାଲର ଉନ୍ମୋଚନ ମଧ୍ୟ କରାଯାଇଛି। ଏହି ପୋର୍ଟାଲ ମାଧ୍ୟମରେ ସମସ୍ତ ପ୍ରକଳ୍ପ କାମର ସ୍ଥିତି ସମୀକ୍ଷା କରାଯିବ।ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଅଧୀନରେ ଆଗାମୀ ୫ ବର୍ଷ ପାଇଁ ୬୦୦୦ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ସେଥିମଧ୍ୟରୁ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ୧୨୦୦ କୋଟି ଟଙ୍କା ଖର୍ଚ୍ଚ ପାଇଁ ବ୍ୟବସ୍ଥା ହୋଇଥିଲା।

୭୮୦୦ ରୁ ଅଧିକ ପ୍ରକଳ୍ପକୁ ଅନୁମୋଦନ ମିଳିଥିବା ବେଳେ ସେଥିରୁ ୨୦୦ ରୁ ଅଧିକ ପ୍ରକଳ୍ପର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ରହିଛି।ଏହା ସହିତ ୧୮୧ଟି ପ୍ରକଳ୍ପର ଶୁଭ ଉଦଘାଟନ ଓ ୬୮୧ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ଅନ୍ୟାନ୍ୟ ପ୍ରକଳ୍ପର କାମ ମଧ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *