Mon. Apr 20th, 2026

ନ୍ୟୁଜ ଡେକ୍ସ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଓଡ଼ିଶା ଗସ୍ତରେ ଆସି କଟକର ମୁଣ୍ଡଳୀସ୍ଥିତ CISF କ୍ୟାମ୍ପରେ ଆୟୋଜିତ ୫୭ତମ ପ୍ରତିଷ୍ଠା ଦିବସ ପ୍ୟାରେଡରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଏହି ଅବସରରେ ସେ ପ୍ୟାରେଡର ସଲାମୀ ଗ୍ରହଣ କରିବା ସହ CISF ଜବାନଙ୍କ ବୀରତ୍ୱ ଓ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଛନ୍ତି।ଶାହ କହିଛନ୍ତି ଯେ ସମୟ ସହିତ CISF ନିଜକୁ ଗଢ଼ି ନେଇଛି ଏବଂ ଦେଶର ସୁରକ୍ଷା ବ୍ୟବସ୍ଥାରେ ଏହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ବୀରତ୍ୱ ଓ ତ୍ୟାଗର ଅନନ୍ୟ ଉଦାହରଣ ହେଉଛନ୍ତି CISF ଜବାନମାନେ ବୋଲି ସେ କହିଛନ୍ତି। କଠିନ ପରିସ୍ଥିତିରେ ମଧ୍ୟ ଜବାନମାନେ ନିଷ୍ଠାର ସହ କର୍ତ୍ତବ୍ୟ ପାଳନ କରୁଥିବାକୁ ସେ ସ୍ତୁତି କରିଛନ୍ତି।ଦେଶର ବିମାନବନ୍ଦର, ବନ୍ଦର ଓ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ପ୍ରତିଷ୍ଠାନମାନଙ୍କ ସୁରକ୍ଷା ଦାୟିତ୍ୱ CISF ସଫଳତାର ସହ ପାଳନ କରୁଛି। ଆଗାମୀ ଦିନରେ ଦେଶର ସମସ୍ତ ବନ୍ଦରର ସୁରକ୍ଷା ଦାୟିତ୍ୱ CISFକୁ ହସ୍ତାନ୍ତର କରାଯିବ ବୋଲି ମଧ୍ୟ ସେ ଘୋଷଣା କରିଛନ୍ତି।

ନକ୍ସଲବାଦ ବିରୋଧୀ ଅଭିଯାନରେ ସୁରକ୍ଷା ବଳଙ୍କ ଅବଦାନକୁ ଉଲ୍ଲେଖ କରି ଶାହ କହିଛନ୍ତି ଯେ ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶକୁ ନକ୍ସଲମୁକ୍ତ କରିବା ଲକ୍ଷ୍ୟ ରହିଛି। ଏହି ଲକ୍ଷ୍ୟ ପୂରଣରେ CISFର ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଏହାସହ ସୁରକ୍ଷା ବଳକୁ ଆହୁରି ସଶକ୍ତ କରିବା ପାଇଁ ବଡ଼ ଘୋଷଣା କରିଥିବା ବେଳେ CISF ପାଇଁ ୮୮ କୋଟି ଟଙ୍କାର ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିଛନ୍ତି ଅମିତ ଶାହ। ଏହା ଫଳରେ ବଳର ସୁବିଧା ଓ ସାମର୍ଥ୍ୟ ଆହୁରି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *