ନ୍ୟୁଜ ଡେକ୍ସ : କରାଚୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ପାକିସ୍ତାନ ପକ୍ଷରୁ ଭାରତ ବିରୋଧରେ ଆଣାଯାଇଥିବା ଅଭିଯୋଗକୁ ଭାରତ ସରକାର ସମ୍ପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ବୋଲି ଖାରଜ କରିଛନ୍ତି। ବୈଦେଶିକ ମନ୍ତ୍ରଣାଳୟ କହିଛି, ଅନ୍ୟ ଉପରେ ଦୋଷ ଲଦିବା ପରିବର୍ତ୍ତେ ପାକିସ୍ତାନ ନିଜ ଦେଶରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଓ ସେମାନଙ୍କର ନିରାପଦ ଆଶ୍ରୟସ୍ଥଳ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, କୌଣସି ପ୍ରମାଣ ବିନା ଭାରତ ବିରୋଧରେ ଅଭିଯୋଗ ଆଣିବା ପାକିସ୍ତାନର ପୁରୁଣା ଅଭ୍ୟାସ। ଏଭଳି ବୟାନ ଦେଇ ନିଜର ବିଫଳତାକୁ ଲୁଚାଇ ପାରିବ ନାହିଁ ବୋଲି ଭାରତ ସ୍ପଷ୍ଟ କରିଛି।ସୂଚନା ଅନୁସାରେ, କରାଚୀର ଗୁଲିସ୍ତାନ-ଏ-ଜୋହର ଅଞ୍ଚଳରେ ଥିବା ପାକିସ୍ତାନ ରେଞ୍ଜର୍ସ ଶିବିର ଉପରେ ଆତଙ୍କବାଦୀ ଆକ୍ରମଣରେ ତିନି ଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇଥିଲେ।
ପ୍ରତିଆକ୍ରମଣରେ ତିନି ଜଣ ଆକ୍ରମଣକାରୀ ନିହତ ହୋଇଥିବାବେଳେ ଜଣେ ଆହତ ଅବସ୍ଥାରେ ଧରାପଡ଼ିଛନ୍ତି।ଘଟଣା ପରେ ପାକିସ୍ତାନର କିଛି ନେତା ଓ ଗଣମାଧ୍ୟମ କୌଣସି ତଦନ୍ତ କିମ୍ବା ପ୍ରମାଣ ବିନା ଭାରତର ନାମ ଉଲ୍ଲେଖ କରିଥିଲେ। ଏହାର ଜବାବରେ ଭାରତ କହିଛି, ଆତଙ୍କବାଦକୁ ରାଷ୍ଟ୍ରନୀତି ଭାବେ ବ୍ୟବହାର କରିବା ବନ୍ଦ କରିବାର ସମୟ ଆସିଛି।

