ନ୍ୟୁଜ ଡେକ୍ସ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ୍ ଅନ୍ତର୍ଗତ ଖଇରମାଲ ଗାଁରେ ଜଣ୍ଡିସ ବ୍ୟାପିଥିବା ସୂଚନା ମିଳିଛି । ଗତ ଦୁଇ ଦିନ ଧରି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଓ ଖାଦ୍ୟ ନିରୀକ୍ଷକ ଗାଁରେ ପହଞ୍ଚି ନମୁନା ସଂଗ୍ରହ କରିଥିଲେ । ସଂଗ୍ରହ ହୋଇଥିବା ପ୍ରାୟ ୧୭ଟି ନମୁନା ମଧ୍ୟରୁ ୯ ଜଣ ଜଣ୍ଡିସରେ ଆକ୍ରାନ୍ତ ଥିବା ଜଣାପଡ଼ିଛି ।ଆକ୍ରାନ୍ତମାନଙ୍କ ମଧ୍ୟରେ ଅଧିକାଂଶ ଝିଅ ଥିବା ବେଳେ ସେମାନଙ୍କ ବୟସ ୧୫ ବର୍ଷରୁ କମ୍ ବୋଲି ସୂଚନା ମିଳିଛି ।
ଖାଦ୍ୟ ନିରୀକ୍ଷକଙ୍କ ଦ୍ୱାରା ଗାଁରେ ବିକ୍ରି ହେଉଥିବା ଗୁପଚୁପ୍ ସହ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ନମୁନା ମଧ୍ୟ ସଂଗ୍ରହ କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ପ୍ରଚୁର ପରିମାଣରେ ହେଲୋଜେନ ବଟିକା ବଣ୍ଟନ କରାଯାଇଛି ।ତେବେ ଗ୍ରାମ୍ୟ ଜଳଯୋଗାଣ ବିଭାଗର ଅବହେଳାକୁ ନେଇ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଭାଗୀୟ କର୍ମଚାରୀମାନେ ଗାଁରେ ରହି ସଚେତନତା କାର୍ଯ୍ୟକ୍ରମ କରିବା ପରିବର୍ତ୍ତେ କେବଳ ଘେରାଏ ବୁଲି ଫେରି ଯାଉଥିବା ଅଭିଯୋଗ ହୋଇଛି ।
ଫଳରେ ଜଳବାହିତ ରୋଗ ସମ୍ପର୍କରେ ଲୋକଙ୍କୁ ସଠିକ୍ ଭାବେ ସଚେତନ କରାଯାଇପାରୁନାହିଁ ।ଦୂଷିତ ପାନୀୟ ଜଳ ଯୋଗୁଁ ଏହି ରୋଗ ବ୍ୟାପୁଥିବା କୁହାଯାଉଥିବା ବେଳେ ଗ୍ରାମ୍ୟ ଜଳଯୋଗାଣ ବିଭାଗର ଉଦାସୀନତା କାରଣରୁ ଜଣ୍ଡିସ ଆକ୍ରମଣ ବୃଦ୍ଧି ପାଉଥିବା ଦେଖାଯାଇଛି । ଏନେଇ ଗ୍ରାମ୍ୟ ଜଳଯୋଗାଣ ଅଧିକ୍ଷଣ ଯନ୍ତ୍ରୀ ରାଜେଶ ଗଡ଼ନାୟକଙ୍କ ସହ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

