ନ୍ୟୁଜ ଡେକ୍ସ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମିର ସେଟଲମେଣ୍ଟ କରିବାକୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରେ ଥିବା ମହାପ୍ରଭୁଙ୍କ ଜମିକୁ ସରକାର ନିଜ ଅଧୀନକୁ ନେବେ । ତେବେ ଦୀର୍ଘ ସମୟ ଧରି ଜଗନ୍ନାଥ ଜମିରେ ବସବାସ କରୁଥିବା ଲୋକଙ୍କୁ ଜମି ସେଟଲମେଣ୍ଟରେ ଦିଆଯିବା ପାଇଁ ନିଷ୍ପତ୍ତି ହୋଇଛି ।
ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ତାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ମହାପ୍ରଭୁଙ୍କ ପାଇଁ ଏକ ବଡ଼ କର୍ପସ ଫଣ୍ଡ ଗଠନ କରିବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଉଥିବା କଥା ମନ୍ତ୍ରୀ କହିଛନ୍ତି ।
ସୂଚନା ଅନୁଯାୟୀ, ମହାପ୍ରଭୁଙ୍କର ପ୍ରାୟ ୫୬ ହଜାର ଏକର ଜମି ରହିଛି । ସେଥିମଧ୍ୟରୁ ୩୬ ହଜାର ଏକର ଜମିର ଆରଓଆର ସରକାରଙ୍କ ହସ୍ତଗତ ହୋଇଛି । ଏହି ଜମିର ୨୫ରୁ ୩୦ ପ୍ରତିଶତ ଭାଗ ଦୀର୍ଘ ଦିନ ଧରି ଲୋକମାନଙ୍କ ଦଖଲରେ ରହିଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟର ଅନୁମୋଦନ ପରେ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଯିବ ବୋଲି ସରକାର ପକ୍ଷରୁ କୁହାଯାଇଛି ।

