Sun. Apr 19th, 2026

ନ୍ୟୁଜ ଡେକ୍ସ : ଆଇସିସି ଟି୨୦ ବିଶ୍ୱକପ୍‌-୨୦୨୬ରେ ଐତିହାସିକ ବିଜୟ ହାସଲ କରି ଚାମ୍ପିଅନ ହୋଇଥିବା ଭାରତୀୟ ପୁରୁଷ କ୍ରିକେଟ୍‌ ଦଳକୁ ଦେଶର ବିଭିନ୍ନ ମହଳରୁ ଅଭିନନ୍ଦନର ବନ୍ୟା ବହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟିମ୍‌ ଇଣ୍ଡିଆକୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ବାର୍ତ୍ତାରେ କହିଛନ୍ତି ଯେ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଜିତି ଟିମ୍‌ ଇଣ୍ଡିଆ ଇତିହାସର ଅନେକ ଶିଖରକୁ ସ୍ପର୍ଶ କରିଛି।

ଭାରତ ତିନିଥର ଏହି କପ୍‌ ଜିତିଥିବା ଏକମାତ୍ର ଦେଶ ହୋଇଥିବାରୁ ଦେଶବାସୀ ଗର୍ବ ଅନୁଭବ କରୁଛନ୍ତି। ସେହିପରି ଲଗାତାର ଦୁଇଥର ବିଶ୍ୱକପ୍‌ ଜିତିବାର ଅସାଧାରଣ କୃତି ମଧ୍ୟ ଟିମ୍‌ ଇଣ୍ଡିଆ ସୃଷ୍ଟି କରିଛି। ଏହି ବିଜୟ ଦେଶର କୋଟି କୋଟି କ୍ରିକେଟ୍‌ ପ୍ରେମୀଙ୍କୁ ଅପାର ଆନନ୍ଦ ଓ ଗର୍ବ ଦେଇଛି। ସେ କହିଛନ୍ତି ଯେ ଏହା ଆମ ଦେଶର ଯୁବପିଢ଼ି ମଧ୍ୟରେ ଥିବା ସମୃଦ୍ଧ ପ୍ରତିଭାର ଏକ ସ୍ପଷ୍ଟ ପ୍ରମାଣ। ଏହି ସାମୂହିକ ବିଜୟ ପାଇଁ ପ୍ରତ୍ୟେକ ଖେଳାଳି, ଟିମ୍‌ ପରିଚାଳନା ଓ ସହାୟକ କର୍ମଚାରୀ ସର୍ବୋଚ୍ଚ ପ୍ରଶଂସାର ଯୋଗ୍ୟ ବୋଲି ସେ କହିଛନ୍ତି। ଭବିଷ୍ୟତରେ ମଧ୍ୟ ଭାରତୀୟ କ୍ରିକେଟ୍‌ ଦଳ ଏହି ଗୌରବ ଜାରି ରଖୁ ବୋଲି ସେ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ମାଧ୍ୟମ ‘ଏକ୍ସ’ରେ ଟିମ୍‌ ଇଣ୍ଡିଆକୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଜିତିବା ଭାରତ ପାଇଁ ଗର୍ବର ମୁହୂର୍ତ୍ତ। ଏହି ଉଲ୍ଲେଖନୀୟ ବିଜୟ ଭାରତୀୟ ଦଳର ଅସାଧାରଣ କୌଶଳ, ଦୃଢ଼ ପ୍ରତିବଦ୍ଧତା ଓ ଦଳଗତ ମନୋଭାବକୁ ପ୍ରକାଶ କରିଛି।

ସମଗ୍ର ଟୁର୍ଣ୍ଣାମେଣ୍ଟରେ ଖେଳାଳିମାନେ ଉତ୍କୃଷ୍ଟ ପ୍ରଦର୍ଶନ ଓ ଦୃଢ଼ତା ଦେଖାଇଥିବାରୁ ଏହି ବିଜୟ ସମ୍ଭବ ହୋଇଛି। ଏହା ପ୍ରତ୍ୟେକ ଭାରତୀୟଙ୍କ ହୃଦୟକୁ ଗର୍ବ ଓ ଆନନ୍ଦରେ ଭରି ଦେଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଟିମ୍‌ ଇଣ୍ଡିଆକୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଭାରତୀୟ ଦଳ ଅସାଧାରଣ ଦୃଢ଼ତା ଓ ଚମତ୍କାର ପ୍ରଦର୍ଶନ ମାଧ୍ୟମରେ ଏହି ବିଶ୍ୱକପ୍‌ ଜିତିଛି। ଏହି ବିଜୟ ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବ ଓ ଆନନ୍ଦରେ ଭରି ଦେଇଛି ବୋଲି ସେ କହିଛନ୍ତି। ଫାଇନାଲ ମ୍ୟାଚ୍‌ରେ ଭାରତ ଦ୍ୱାରା ଦିଆଯାଇଥିବା ୨୫୬ ରନ୍‌ର ବିଶାଳ ଲକ୍ଷ୍ୟକୁ ଧାଉଥିବା ନ୍ୟୁଜିଲାଣ୍ଡ ଦଳ ୨୦ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୫୯ ରନ୍‌ରେ ସୀମିତ ହୋଇଯାଇଥିଲା। ଫଳରେ ଭାରତ ୯୬ ରନ୍‌ରେ ଏହି ମ୍ୟାଚ୍‌ ଜିତି ବିଶ୍ୱକପ୍‌ ଟ୍ରଫି ଜୟ କରିଥିଲା।

ନ୍ୟୁଜିଲାଣ୍ଡ ପକ୍ଷରୁ ଟିମ୍‌ ସିଫର୍ଟ ସର୍ବାଧିକ ରନ୍‌ ସଂଗ୍ରହ କରିଥିଲେ। ସେ ୨୬ଟି ବଲ୍‌ ଖେଳି ୨ଟି ଚୋୗକା ଓ ୫ଟି ଛକା ସହ ଦଳ ପାଇଁ ଉଲ୍ଲେଖନୀୟ ରନ୍‌ କରିଥିଲେ। ଅଧିନାୟକ ମିଚେଲ ସାଣ୍ଟନର ମଧ୍ୟ କିଛି ସମୟ ଭଲ ପ୍ରଦର୍ଶନ କରିଥିଲେ, କିନ୍ତୁ ଅନ୍ୟ ଖେଳାଳିଙ୍କ ପକ୍ଷରୁ ପ୍ରୟାପ୍ତ ସମର୍ଥନ ମିଳିନଥିବାରୁ ନ୍ୟୁଜିଲାଣ୍ଡ ଦଳ ପରାଜୟ ମୁହଁ ଦେଖିଥିଲା।ଏହି ବିଜୟ ସହ ଭାରତୀୟ କ୍ରିକେଟ୍‌ ଦଳ ପୁନର୍ବାର ବିଶ୍ୱ କ୍ରିକେଟ୍‌ରେ ନିଜର ପ୍ରଭୁତ୍ୱ ପ୍ରମାଣ କରିଥିବା ବୋଲି କ୍ରିକେଟ୍‌ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *