Sun. Apr 19th, 2026

ନ୍ୟୁଜ ଡେକ୍ସ : ରାଜ୍ୟରେ ଏଣିକି ଡିଜିଟାଲ୍ ମାଧ୍ୟମରେ ଜନ ଅଭିଯୋଗ ଶୁଣାଣି ବ୍ୟବସ୍ଥା ଆରମ୍ଭ କରାଯିବ। ଏହା ଫଳରେ ଲୋକଙ୍କ ଅଭିଯୋଗ ଖୁବ ଶୀଘ୍ର ସମାଧାନ ହେବ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ଗୃହରେ ଉତ୍ତର ରଖି କହିଛନ୍ତି।ଏହି ନୂତନ ବ୍ୟବସ୍ଥା ଆସିବା ପରେ ଲୋକମାନଙ୍କୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ କିମ୍ବା ବିଧାୟକଙ୍କୁ ସକ୍ଷାତ୍ ଭେଟିବା ଆବଶ୍ୟକତା ରହିବ ନାହିଁ।

ସେମାନେ ଡିଜିଟାଲ୍ ମାଧ୍ୟମରେ ନିଜର ଅଭିଯୋଗ ଦାଖଲ କରିପାରିବେ। ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀର ବିଧାୟକମାନେ ଅଭିଯୋଗଗୁଡ଼ିକୁ ଖତିଆନ କରି ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ସମାଧାନ ପାଇଁ ନିର୍ଦ୍ଦେଶ ଦେବେ।ଏହା ଦ୍ୱାରା ଅଭିଯୋଗ ଶୁଣାଣି ପ୍ରକ୍ରିୟା ଆହୁରି ସରଳ ଓ ସୁବିଧାଜନକ ହେବ। ଏଥିପାଇଁ ଏକ ନୂତନ ୱେବସାଇଟ୍ ଖୋଲାଯିବାର ସମ୍ଭାବନା ମଧ୍ୟ ରହିଛି।୨୦୨୪ରେ ରାଜ୍ୟରେ ନୂତନ ସରକାର ଗଠନ ପରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣିକୁ ବେଶ ଗୁରୁତ୍ୱ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ପୁନର୍ଜୀବିତ କରିଥିବାବେଳେ ୧ ଜୁଲାଇ ୨୦୨୪ରେ ଏହା ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ନିଜେ ପ୍ରତ୍ୟେକ ସୋମବାର ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟା ଶୁଣି ସମାଧାନ କରୁଛନ୍ତି। ନୂତନ ଡିଜିଟାଲ୍ ବ୍ୟବସ୍ଥା ଆସିବା ସହ ଏହି ପ୍ରକ୍ରିୟା ଆହୁରି ଦ୍ରୁତ ଓ ପାରଦର୍ଶୀ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *