Fri. Jun 5th, 2026

ନ୍ୟୁଜ ଡେକ୍ସ : ତାମିଲନାଡୁ ରାଜନୀତିରେ ଏକ ନୂଆ ଅଧ୍ୟାୟର ଆରମ୍ଭ ହୋଇଛି। ଜଣେ ସଫଳ ଅଭିନେତାରୁ ରାଜନେତା ହୋଇଥିବା ବିଜୟ ରବିବାର ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଚେନ୍ନାଇର ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆୟୋଜିତ ଭବ୍ୟ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।

ବିଜୟଙ୍କ ସହ ତାଙ୍କ ଦଳ ‘ତାମିଲଗା ଭେଟ୍ରି କାଜଗମ’ର ୯ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି।ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ବିଜୟଙ୍କ ଦଳ TVK ୧୦୮ଟି ଆସନ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲା। ସରକାର ଗଢ଼ିବା ପାଇଁ ୧୧୮ଟି ଆସନ ଆବଶ୍ୟକ ଥିବାବେଳେ କଂଗ୍ରେସ, CPI, CPI(M), VCK ଏବଂ IUML ର ସମର୍ଥନ ପରେ ବିଜୟଙ୍କ ପକ୍ଷରେ ମୋଟ ୧୨୦ ଜଣ ବିଧାୟକଙ୍କ ସମର୍ଥନ ରହିଛି। ଏହାପରେ ରାଜ୍ୟପାଳ ତାଙ୍କୁ ସରକାର ଗଢ଼ିବାକୁ ନିମନ୍ତ୍ରଣ କରିଥିଲେ। ଶପଥ ଗ୍ରହଣ ସମାରୋହରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ ବିଭିନ୍ନ ରାଜନୈତିକ ନେତାମାନେ ଉପସ୍ଥିତ ଥିଲେ। ବିଜୟଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ପାଇଁ ହଜାର ହଜାର ପ୍ରଶଂସକ ଓ କର୍ମୀ ଷ୍ଟାଡିୟମ ବାହାରେ ଭିଡ଼ ଜମାଇଥିଲେ।

୫୯ ବର୍ଷ ପରେ ତାମିଲନାଡୁରେ ଜଣେ ଅଣ-ଦ୍ରାବିଡ଼ ନେତା ମୁଖ୍ୟମନ୍ତ୍ରୀ ହେବାକୁ ନେଇ ସାରା ରାଜ୍ୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି।ତେବେ ଆଗାମୀ ମେ’ ୧୩ ତାରିଖ ସୁଦ୍ଧା ବିଜୟଙ୍କୁ ବିଧାନସଭାରେ ନିଜ ସରକାରର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡ଼ିବ। ବର୍ତ୍ତମାନ ସେ କଂଗ୍ରେସ ସହିତ ଅନ୍ୟ ସହଯୋଗୀ ଦଳଙ୍କ ସମର୍ଥନରେ ଏକ ମିଳିତ ସରକାରର ନେତୃତ୍ୱ ନେଉଛନ୍ତି।

Leave a Reply

Your email address will not be published. Required fields are marked *