ନ୍ୟୁଜ ଡେକ୍ସ : ତାମିଲନାଡୁରେ ଘଟିଥିବା ଭୟାବହ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାଞ୍ଚ ଜଣ ଓଡ଼ିଆ ଶ୍ରମିକଙ୍କ ପାର୍ଥିବ ଶରୀର ବୁଧବାର ଭୁବନେଶ୍ୱରରେ ପହଞ୍ଚିଛି। ସ୍ୱତନ୍ତ୍ର ବିମାନ ଯୋଗେ ଆଣାଯାଇଥିବା ପାର୍ଥିବ ଶରୀରଗୁଡ଼ିକ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରିବାର ଲୋକଙ୍କ କାନ୍ଦବୋବାଳି ଦେଖି ସମସ୍ତଙ୍କ ଆଖି ଲୁହରେ ଭିଜିଯାଇଥିଲା।ସୂଚନା ଅନୁସାରେ, ସମୁଦ୍ର ଖାଦ୍ୟ ପ୍ରକ୍ରିୟାକରଣ କାରଖାନାରେ ଗ୍ୟାସ୍ ଲିକ୍ ଘଟଣା ଯୋଗୁଁ ସାତ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା।
ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣଙ୍କ ପାର୍ଥିବ ଶରୀର ଏକ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଭୁବନେଶ୍ୱରକୁ ଅଣାଯାଇଛି।ବିମାନବନ୍ଦରରେ ପହଞ୍ଚି ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ଭେଟି ଗଭୀର ସମବେଦନା ଜଣାଇଥିଲେ। ଏହାସହ ମନ୍ତ୍ରିପରିଷଦର ଅନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହି ମୃତ ଶ୍ରମିକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଅନ୍ୟପକ୍ଷରେ, ଏହି ଦୁଃଖଦ ଘଟଣାରେ ମୃତ ଓଡ଼ିଆ ଶ୍ରମିକଙ୍କ ପରିବାର ପାଇଁ ସରକାର ସହାୟତା ରାଶି ବୃଦ୍ଧି କରିଛନ୍ତି। ପ୍ରଥମେ ପ୍ରତ୍ୟେକ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରାଯାଇଥିଲା। କିନ୍ତୁ ପରେ ଏହାକୁ ବଢ଼ାଇ ୧୦ ଲକ୍ଷ ଟଙ୍କା କରାଯାଇଛି।
ତାମିଲନାଡୁର ତିରୁଭଲ୍ଲୁର ଅଞ୍ଚଳରେ ଘଟିଥିବା ଏହି ଗ୍ୟାସ୍ ଦୁର୍ଘଟଣା ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଦେଇଛି। ରୋଜଗାର ଆଶାରେ ଘରୁ ଦୂରକୁ ଯାଇଥିବା ଶ୍ରମିକମାନେ ଏଭଳି ଅକାଳରେ ପ୍ରାଣ ହରାଇବା ଘଟଣା ଅନେକ ପରିବାରକୁ ଭାଙ୍ଗି ଦେଇଛି।ମୃତ ଶ୍ରମିକମାନଙ୍କ ପାର୍ଥିବ ଶରୀର ନିଜ ନିଜ ଗାଁକୁ ପଠାଯାଇଥିବାବେଳେ ସେଠାରେ ଶେଷ ଦର୍ଶନ ପାଇଁ ଲୋକଙ୍କ ଭିଡ଼ ଜମିଛି। ଏହି ଦୁର୍ଘଟଣାକୁ ନେଇ ରାଜ୍ୟବ୍ୟାପୀ ଶୋକର ଛାୟା ଖେଳିଯାଇଛି।

