Wed. Jun 17th, 2026

ନ୍ୟୁଜ ଡେକ୍ସ : କେନ୍ଦ୍ରାପଡ଼ା ଜିଲ୍ଲାର ତିଖିରି ଗ୍ରାମ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ପୋଲିସ ଉପରେ ଆକ୍ରମଣ ସମ୍ପର୍କିତ ମାମଲାରେ ଜାମିନ ମିଳିଛି। ଉପବିଭାଗୀୟ ନ୍ୟାୟିକ ଦଣ୍ଡାଧିକାରୀ ଅଦାଲତ ତାଙ୍କୁ ୩୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ ଏବଂ ଦୁଇ ଜଣ ଜାମିନଦାରଙ୍କ ଆଧାରରେ ଜାମିନ ପ୍ରଦାନ କରିଛନ୍ତି।ଜାମିନ ପରେ ମହାକାଳପଡ଼ା ପୋଲିସ ଚାମେଲି ଓଝାଙ୍କ ମୋବାଇଲ ଫୋନ ଫେରାଇ ଦେଇଛି। ଏଥିପାଇଁ ତାଙ୍କ ବାପାଙ୍କୁ ଥାନାକୁ ଡାକି ଫୋନ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି।

ବର୍ତ୍ତମାନ ଚାମେଲି ଓଝା କେନ୍ଦ୍ରାପଡ଼ା ଜିଲ୍ଲା ଚିକିତ୍ସାଳୟର ଏକ ସ୍ୱତନ୍ତ୍ର କକ୍ଷରେ ଚିକିତ୍ସାଧୀନ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜିଲ୍ଲା ଚିକିତ୍ସା ଅଧିକ୍ଷକ ସୂଚନା ଦେଇଛନ୍ତି। ଚାରିଜଣ ବିଶେଷଜ୍ଞ ଚିକିତ୍ସକ ତାଙ୍କର ଚିକିତ୍ସା କରୁଥିବାବେଳେ ସ୍ୱାସ୍ଥ୍ୟରେ ଉନ୍ନତି ଜାରି ରହିଲେ ଆସନ୍ତା ଦୁଇରୁ ଚାରି ଦିନ ମଧ୍ୟରେ ତାଙ୍କୁ ଚିକିତ୍ସାଳୟରୁ ଛାଡ଼ପତ୍ର ଦିଆଯାଇପାରେ ବୋଲି ଡାକ୍ତର କିଶୋର ମିଶ୍ର କହିଛନ୍ତି।ଘଟଣାକୁ ନେଇ ଦୁଇଟି ପୃଥକ ମାମଲା ରୁଜୁ ହୋଇଛି। ପ୍ରଥମ ମାମଲା ମହାକାଳପଡ଼ା ବ୍ଲକର ବିକାଶ ଅଧିକାରୀ ରବିନାରାୟଣ ଆଚାର୍ଯ୍ୟଙ୍କ ଅଭିଯୋଗ ଆଧାରରେ ରୁଜୁ ହୋଇଥିଲା। ଏଥିରେ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି, ଅସଭ୍ୟ ଭାଷାରେ ଗାଳିଗୁଲଜ, ଅନୁମତି ବିନା ଭିଡିଓ ଧାରଣ ଏବଂ ସରକାରୀ କର୍ମଚାରୀଙ୍କୁ ଧମକ ଦେବା ଭଳି ଅଭିଯୋଗ ରହିଛି।ଦ୍ୱିତୀୟ ମାମଲା ପୋଲିସ ପକ୍ଷରୁ ରୁଜୁ କରାଯାଇଥିଲା।

ଏଥିରେ କର୍ତ୍ତବ୍ୟରତ ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ, ସେମାନଙ୍କୁ ଆହତ କରିବା, ଜୀବନନାଶ ଉଦ୍ୟମ ଏବଂ ଜଣେ ମହିଳା ପୋଲିସ ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ଆକ୍ରମଣ କରିବା ଭଳି ଗୁରୁତର ଅଭିଯୋଗ ସାମିଲ ରହିଛି। ଜଣେ ପୋଲିସ କର୍ମଚାରୀଙ୍କ ଆଙ୍ଗୁଠି କାମୁଡ଼ି ଆହତ କରିଥିବା ଅଭିଯୋଗ ମଧ୍ୟ ଏହି ମାମଲାରେ ଉଲ୍ଲେଖ ହୋଇଛି।ଘଟଣାକୁ ନେଇ ତଦନ୍ତ ଜାରି ରହିଥିବାବେଳେ ଉଭୟ ପକ୍ଷର ଅଭିଯୋଗ ଓ ପ୍ରମାଣ ଆଧାରରେ ପରବର୍ତ୍ତୀ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *