Wed. Jun 17th, 2026
CREATOR: gd-jpeg v1.0 (using IJG JPEG v62), quality = 80

ନ୍ୟୁଜ ଡେକ୍ସ : ୨୦୨୬ ମସିହାର ମାଟ୍ରିକ ପରୀକ୍ଷା ଫଳର ପୁନଃ ଯାଞ୍ଚ ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କ ଉତ୍ତରଖାତା ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ଧାର୍ଯ୍ୟ ସମୟ ପୂର୍ବରୁ ଏହି କାର୍ଯ୍ୟ ସମ୍ପନ୍ନ ହୋଇଥିବାରୁ ଆସନ୍ତା ୧୯ ତାରିଖରେ ସଂଶୋଧିତ ଫଳ ପ୍ରକାଶ କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି।ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫଳକୁ ନେଇ ରାଜ୍ୟର ୩ ହଜାର ୩ ଶହରୁ ଅଧିକ ପରୀକ୍ଷାର୍ଥୀ ପୁନଃ ଯାଞ୍ଚ ପାଇଁ ଆବେଦନ କରିଥିଲେ। ଅନେକ ପରୀକ୍ଷାର୍ଥୀ ଏକାଧିକ ବିଷୟର ଉତ୍ତରଖାତା ଯାଞ୍ଚ ପାଇଁ ମଧ୍ୟ ଅନୁରୋଧ କରିଥିଲେ।

ମୋଟ ୯ ହଜାରରୁ ଅଧିକ ଉତ୍ତରଖାତାର ପୁନଃ ମୂଲ୍ୟାୟନ କରାଯାଇଥିଲା।ବୋର୍ଡ କାର୍ଯ୍ୟାଳୟରେ ନିଯୁକ୍ତ ଶିକ୍ଷକମାନେ ଉତ୍ତରଖାତାଗୁଡ଼ିକୁ ପୁନର୍ବାର ଯାଞ୍ଚ କରିଥିବା ବେଳେ ଅଧିକାଂଶ ଆବେଦନକାରୀଙ୍କ ନମ୍ବର ବୃଦ୍ଧି ପାଇଥିବା ସୂଚନା ମିଳିଛି। ଯେଉଁ ପରୀକ୍ଷାର୍ଥୀଙ୍କ ନମ୍ବରରେ ପରିବର୍ତ୍ତନ ହୋଇଛି, ସେମାନଙ୍କ ଫଳାଫଳ ସଂଶୋଧନ କରାଯିବା ସହ ନୂତନ ପ୍ରମାଣପତ୍ର ମଧ୍ୟ ପ୍ରସ୍ତୁତ କରାଯିବ।କର୍ତ୍ତୃପକ୍ଷଙ୍କ କହିବା ଅନୁସାରେ, ସମ୍ପୃକ୍ତ ପରୀକ୍ଷାର୍ଥୀମାନେ ସଂଶୋଧିତ ଡିଜିଟାଲ ପ୍ରମାଣପତ୍ର ଅନଲାଇନ ମାଧ୍ୟମରେ ପାଇପାରିବେ।

ଏପଟେ ଯୁକ୍ତ ଦୁଇ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନର ଶେଷ ତାରିଖ ଆସନ୍ତା ୩୦ ତାରିଖ ଥିବାରୁ ପରୀକ୍ଷାର୍ଥୀମାନେ ଯେପରି ସଂଶୋଧିତ ନମ୍ବରର ସୁବିଧା ପାଇପାରିବେ, ସେଥିପାଇଁ ବୋର୍ଡ ପୂର୍ବରୁ ଫଳ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛି।ଉଲ୍ଲେଖଯୋଗ୍ୟ ଯେ, ପୂର୍ବ ବର୍ଷଗୁଡ଼ିକରେ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଶେଷ ହେବା ପରେ ପୁନଃ ଯାଞ୍ଚ ଫଳ ପ୍ରକାଶ ପାଉଥିଲା। ଫଳରେ ନମ୍ବର ବୃଦ୍ଧି ହୋଇଥିଲେ ମଧ୍ୟ ଅନେକ ପରୀକ୍ଷାର୍ଥୀ ତାହାର ସୁଫଳ ପାଇପାରୁ ନଥିଲେ।ଅନ୍ୟପକ୍ଷରେ, ମାଟ୍ରିକ ସମ୍ପୂରକ ପରୀକ୍ଷା ଆସନ୍ତା ଜୁଲାଇ ୨ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

CREATOR: gd-jpeg v1.0 (using IJG JPEG v62), quality = 80

Leave a Reply

Your email address will not be published. Required fields are marked *