ନ୍ୟୁଜ ଡେକ୍ସ : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଲୋକପର୍ବ ଶୀତଳଷଷ୍ଠୀ ଯାତ୍ରାକୁ ନେଇ ସମ୍ବଲପୁର ସହର ଏବେ ଉତ୍ସବମୁଖର ହୋଇଉଠିଛି। ମହାଦେବ ଓ ମାତା ପାର୍ବତୀଙ୍କ ଦିବ୍ୟ ବିବାହ ଉତ୍ସବକୁ କେନ୍ଦ୍ର କରି ସହରର ବିଭିନ୍ନ ଯାତ୍ରା କମିଟି ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ଆଜି ଏହି ପରମ୍ପରାବାହୀ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ ପତରପେଣ୍ଡି ଅନୁଷ୍ଠିତ ହେବ।ଝାଡ଼ୁଆପଡ଼ାର ଆରଣ୍ୟକ ଶୀତଳଷଷ୍ଠୀ ଯାତ୍ରା କମିଟି ଓ ମୁଦିପଡ଼ାର ଜାଗେଶ୍ବର ବାବା ଶୀତଳଷଷ୍ଠୀ ଯାତ୍ରା କମିଟି ପକ୍ଷରୁ ଆଜି ପତରପେଣ୍ଡି ପର୍ବ ପାଳନ କରାଯିବ। ଏହି ପର୍ବ ମହାଦେବ ଓ ପାର୍ବତୀଙ୍କ ବିବାହ ପୂର୍ବରୁ ହେଉଥିବା ପାରମ୍ପରିକ ରୀତିନୀତିର ଏକ ଅଂଶ।
ଏହାକୁ ନେଇ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି।ପରମ୍ପରା ଅନୁଯାୟୀ ସନ୍ଧ୍ୟା ସମୟରେ କନ୍ୟା ସନ୍ଧାନ ପାଇଁ ବରପକ୍ଷ କନ୍ୟା ପିତାଙ୍କ ଘରକୁ ଯିବେ। ସେଠାରେ ସରଗୀ ପତ୍ର ପ୍ରଦାନ କରାଯିବା ପରେ ମହାଦେବ ଓ ପାର୍ବତୀଙ୍କ ବିବାହ ସ୍ଥିର କରାଯିବ। ଏହି ଧାର୍ମିକ ଓ ସାଂସ୍କୃତିକ ପରମ୍ପରାକୁ ଦେଖିବା ପାଇଁ ପ୍ରତିବର୍ଷ ଅସଂଖ୍ୟ ଭକ୍ତଙ୍କ ସମାଗମ ହୋଇଥାଏ।ଆଜିର କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ରହିବ ଭବ୍ୟ ଶୋଭାଯାତ୍ରା। ବରପିତା କନ୍ୟା ଅନ୍ୱେଷଣ ପାଇଁ ଏକ ସୁସଜ୍ଜିତ ଶୋଭାଯାତ୍ରାରେ ବାହାରିବେ। ଏଥିରେ ସ୍ଥାନୀୟ ମୁରବି, ସପ୍ତର୍ଷି ଓ ବରପକ୍ଷର ଅନ୍ୟ ସଦସ୍ୟମାନେ ସାମିଲ ହେବେ।
ବାଦ୍ୟ, ଘଣ୍ଟ, ଶଙ୍ଖଧ୍ୱନି ଓ ଭକ୍ତିମୟ ପରିବେଶ ମଧ୍ୟରେ ଏହି ଶୋଭାଯାତ୍ରା ସହର ପରିକ୍ରମା କରିବ।କେବଳ ଆରଣ୍ୟକ ଓ ଜାଗେଶ୍ବର ବାବା ଯାତ୍ରା କମିଟି ନୁହେଁ, ସହରର ଅନ୍ୟାନ୍ୟ ଶୀତଳଷଷ୍ଠୀ ଯାତ୍ରା କମିଟି ମଧ୍ୟ ଆଜି ପତରପେଣ୍ଡି ପର୍ବ ପାଳନ କରିବେ। ଏହାଫଳରେ ସମ୍ବଲପୁର ସହରରେ ଉତ୍ସବର ମାହୋଲ ଆହୁରି ଜମିଉଠିଛି।ଶୀତଳଷଷ୍ଠୀ ଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ପଶ୍ଚିମ ଓଡ଼ିଶାର ସଂସ୍କୃତି, ପରମ୍ପରା ଓ ସାମାଜିକ ସମନ୍ୱୟର ଏକ ଜୀବନ୍ତ ପ୍ରତୀକ। ମହାଦେବ ଓ ପାର୍ବତୀଙ୍କ ଦିବ୍ୟ ବିବାହ ଉତ୍ସବକୁ କେନ୍ଦ୍ର କରି ଆସନ୍ତା କିଛି ଦିନ ଧରି ସମ୍ବଲପୁରରେ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏଥିପାଇଁ ସହରବାସୀଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦୀପନା ଚରମ ସୀମାରେ ପହଞ୍ଚିଛି।

