ନ୍ୟୁଜ ଡେକ୍ସ : ଓଡ଼ିଶାର ଶ୍ରଦ୍ଧାଳୁମାନଙ୍କ ପାଇଁ ଆଧ୍ୟାତ୍ମିକ ଯାତ୍ରାର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର ରେଳ ଷ୍ଟେସନରେ ସୋମନାଥ ସ୍ୱାଭିମାନ ଯାତ୍ରା–୨୦୨୬ର ଶୁଭାରମ୍ଭ କରିଛନ୍ତି। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ପ୍ରାୟ ୧୧୦୦ରୁ ଅଧିକ ଭକ୍ତଙ୍କୁ ନେଇ ଗୁଜରାଟର ପବିତ୍ର ପ୍ରଭାସ ପାଟଣସ୍ଥିତ ପ୍ରଭୁ ସୋମନାଥଙ୍କ ଧାମ ଅଭିମୁଖେ ଯାତ୍ରା କରୁଥିବା ଏହି ସ୍ୱତନ୍ତ୍ର ରେଳଗାଡ଼ିକୁ ମୁଖ୍ୟମନ୍ତ୍ରୀ ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭକ୍ତମାନଙ୍କୁ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଏହା କେବଳ ଏକ ସାଧାରଣ ତୀର୍ଥଯାତ୍ରା ନୁହେଁ, ବରଂ ଆମର ଆସ୍ଥା, ଭକ୍ତି, ସଂସ୍କୃତି ଓ ସ୍ୱାଭିମାନର ଏକ ମହାଯାତ୍ରା।
ଏହି ଯାତ୍ରା ମାଧ୍ୟମରେ ଓଡ଼ିଶାର ଭକ୍ତମାନେ ଦେଶର ଅନ୍ୟତମ ପ୍ରାଚୀନ ଓ ପବିତ୍ର ଶୈବ ପୀଠ ସୋମନାଥ ଧାମର ଦର୍ଶନ କରିବାର ସୁଯୋଗ ପାଇବେ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୂର୍ବ ଭାରତରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ପଶ୍ଚିମ ଭାରତରେ ପ୍ରଭୁ ସୋମନାଥ ଦୁଇଟି ମହାନ ଆଧ୍ୟାତ୍ମିକ ଶକ୍ତିର ପ୍ରତୀକ। ଏହି ଦୁଇ ଦିବ୍ୟ ଧାମ ସମଗ୍ର ଭାରତବର୍ଷକୁ ଏକତା, ଆଧ୍ୟାତ୍ମିକ ଚେତନା ଓ ସାଂସ୍କୃତିକ ଐତିହ୍ୟର ସୂତ୍ରରେ ବାନ୍ଧି ରଖିଛି। ଏଭଳି ତୀର୍ଥଯାତ୍ରା ଦେଶର ବିଭିନ୍ନ ଅଞ୍ଚଳ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ଆହୁରି ଦୃଢ଼ କରିଥାଏ।ସେ ଆହୁରି କହିଥିଲେ ଯେ, କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ଦେଶବ୍ୟାପୀ ଭାବେ ଏକ ବ୍ୟାପକ ଗଣ-ତୀର୍ଥଯାତ୍ରା କାର୍ଯ୍ୟକ୍ରମ ଚାଲୁ କରାଯାଇଛି। ଏହା ମାଧ୍ୟମରେ ଦେଶର ବିଭିନ୍ନ ପବିତ୍ର ଧାମ ଓ ଐତିହାସିକ ତୀର୍ଥକ୍ଷେତ୍ର ସହ ସାଧାରଣ ଲୋକଙ୍କୁ ଯୋଡ଼ାଯାଉଛି। ଏହି ପ୍ରୟାସ ଭାରତର ସମୃଦ୍ଧ ଧାର୍ମିକ ଓ ସାଂସ୍କୃତିକ ପରମ୍ପରାକୁ ନୂତନ ପିଢ଼ି ନିକଟରେ ପହଞ୍ଚାଇବାରେ ସହାୟକ ହେଉଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ “ବିକାଶ ସହିତ ଐତିହ୍ୟର ସଂରକ୍ଷଣ” ଦୃଷ୍ଟିକୋଣର ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସୋମନାଥ ଧାମରେ ଗତ କିଛି ବର୍ଷ ମଧ୍ୟରେ ବ୍ୟାପକ ଭିତ୍ତିଭୂମି ବିକାଶ କରାଯାଇଛି। ସେଠାରେ ଆଧୁନିକ ପ୍ରଦର୍ଶନୀଶାଳା, ସଂଗ୍ରହାଳୟ, ସମୁଦ୍ର ଦର୍ଶନ ପଥ ଓ ଯାତ୍ରୀ ସୁବିଧାକୁ କେନ୍ଦ୍ର କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପନ୍ନ ହୋଇଛି।
ଏହା ଫଳରେ ସୋମନାଥ ଧାମ ବିଶ୍ୱସ୍ତରୀୟ ତୀର୍ଥକ୍ଷେତ୍ର ଭାବେ ନିଜର ପରିଚୟକୁ ଆହୁରି ସୁଦୃଢ଼ କରିପାରିଛି।ଭୁବନେଶ୍ୱର ରେଳ ଷ୍ଟେସନରେ ଆୟୋଜିତ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ଭକ୍ତ, ଜନପ୍ରତିନିଧି ଓ ବିଶିଷ୍ଟ ବ୍ୟକ୍ତିବର୍ଗ ଉପସ୍ଥିତ ଥିଲେ। ଭକ୍ତମାନେ ଜୟ ଜଗନ୍ନାଥ ଓ ହର ହର ମହାଦେବ ଧ୍ୱନିରେ ପରିବେଶକୁ ଭକ୍ତିମୟ କରିଦେଇଥିଲେ। ରେଳଗାଡ଼ି ଯାତ୍ରା ଆରମ୍ଭ କରିବା ପରେ ଭକ୍ତମାନଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ଦେଖିବାକୁ ମିଳିଥିଲା। ଏହି ସୋମନାଥ ସ୍ୱାଭିମାନ ଯାତ୍ରା ଓଡ଼ିଶା ଓ ଗୁଜରାଟ ମଧ୍ୟରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ଭକ୍ତମାନଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।

