ନ୍ୟୁଜ ଡେକ୍ସ : ଆସନ୍ତା ୨୦ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିନିକିଆ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ସୂଚୀ ଅନୁଯାୟୀ, ସେ ପୂର୍ବାହ୍ନ ୧୧ଟା ୫ ମିନିଟରେ ପାହାଡ଼ପୁର ହେଲିପ୍ୟାଡ୍ରେ ପହଞ୍ଚିବେ। ଏହାପରେ ୧୧ଟା ୧୫ ମିନିଟରେ ଗୋଷାଣୀ ପୀଠ ଗସ୍ତ କରିବେ। ପାହାଡ଼ପୁରରେ ପ୍ରାୟ ଘଣ୍ଟାଏ ସମୟ ଅବସ୍ଥାନ କରିବା ପରେ ସେ ଦିନ ୧୨ଟା ୫୫ ମିନିଟରେ ସଭାସ୍ଥଳରେ ପହଞ୍ଚିବେ।
ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ଦିନ ୧ଟାରୁ ୨ଟା ପର୍ଯ୍ୟନ୍ତ ସେ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ପରେ ଅପରାହ୍ନ ୨ଟା ୧୫ ମିନିଟରେ ଓଡ଼ିଶାରୁ ଫେରିଯିବେ।ଏହି ଗସ୍ତ ଉଭୟ ସରକାର ଓ ସଂଗଠନ ପାଇଁ ବେଶ ସହାୟକ ହେବ ବୋଲି ଭାରତୀୟ ଜନତା ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ତ୍ରିପାଠୀ କହିଛନ୍ତି।
ତାଙ୍କ କହିବା ଅନୁସାରେ, ପ୍ରଧାନମନ୍ତ୍ରୀ ପୂର୍ବରୁ ଯେତେବେଳେ ଓଡ଼ିଶା ଗସ୍ତରେ ଆସିଛନ୍ତି, ସେତେବେଳେ ରାଜ୍ୟକୁ ବିଭିନ୍ନ ବିକାଶମୂଳକ ଭେଟି ପ୍ରଦାନ କରିଛନ୍ତି। ଏଥର ମଧ୍ୟ ରାଇରଙ୍ଗପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ନୂଆ ଯୋଜନା ଓ ପ୍ରକଳ୍ପ ଘୋଷଣା କରିପାରନ୍ତି।ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର ଗଠନ ପରେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଦେଖାଯାଉଛି। ବିକଶିତ ଓଡ଼ିଶା ଗଠନ ଲକ୍ଷ୍ୟକୁ ଆଗକୁ ନେବା ପାଇଁ ଏହି ଗସ୍ତରେ ଅନେକ ଉନ୍ନୟନମୂଳକ ପଦକ୍ଷେପ ଘୋଷଣା ହେବାର ସମ୍ଭାବନା ରହିଛି।

