ନ୍ୟୁଜ ଡେକ୍ସ : ଆମେରିକା ବାୟୁସେନାର ଏକ ଶକ୍ତିଶାଳୀ ବୋମାବର୍ଷୀ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। ଦକ୍ଷିଣ କାଲିଫୋର୍ନିଆର ଏଡୱାର୍ଡସ ବାୟୁସେନା ଘାଟିରୁ ଉଡ଼ାଣ ଭରିବାର କିଛି ସମୟ ପରେ ବିମାନଟି ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଭୟାବହ ଘଟଣାରେ ବିମାନରେ ଥିବା ସମସ୍ତ ୮ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ବିମାନଟି ଏକ ନିୟମିତ ପରୀକ୍ଷାମୂଳକ ଅଭିଯାନରେ ସାମିଲ ଥିଲା।
ଆଧୁନିକ ରାଡାର ବ୍ୟବସ୍ଥାର ଉନ୍ନତୀକରଣ ସମ୍ପର୍କିତ ପରୀକ୍ଷା ଚାଲିଥିବା ବେଳେ ଉଡ଼ାଣ ଆରମ୍ଭ କରିବାର କ୍ଷଣକ ପରେ ବିମାନରେ ହଠାତ୍ ନିଆଁ ଲାଗିଯାଇଥିଲା। ନିଆଁ ଦ୍ରୁତ ଗତିରେ ବ୍ୟାପିଯିବାରୁ ବିମାନଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଦୁର୍ଘଟଣାରେ ପ୍ରାଣ ହରାଇଥିବା ୮ ଜଣଙ୍କ ମଧ୍ୟରେ ସାମରିକ କର୍ମଚାରୀ, ସରକାରୀ ଅଧିକାରୀ ଏବଂ ବିମାନ ନିର୍ମାଣ ସଂସ୍ଥାର ଦୁଇଜଣ ବେସରକାରୀ ପ୍ରାଯୁକ୍ତିକ କର୍ମଚାରୀ ଥିବା ଜଣାପଡ଼ିଛି। ଘଟଣା ଏତେ ଭୟଙ୍କର ଥିଲା ଯେ ବିମାନରେ ଥିବା କାହାରି ଜୀବିତ ରହିବା ସମ୍ଭାବନା ନଥିଲା ବୋଲି କର୍ତ୍ତୃପକ୍ଷ କହିଛନ୍ତି। ଏଡୱାର୍ଡସ ବାୟୁସେନା ଘାଟିର ଉପ-କମାଣ୍ଡର କର୍ଣ୍ଣେଲ ଜେମ୍ସ ହେସ ଏହି ଘଟଣାକୁ ଏକ ମର୍ମନ୍ତୁଦ ଦୁର୍ଘଟଣା ବୋଲି ବର୍ଣ୍ଣନା କରିଛନ୍ତି। ସେ ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଦେଶ ସେବାରେ ନିୟୋଜିତ ଏହି ସଦସ୍ୟମାନଙ୍କ ଅବଦାନକୁ ସ୍ମରଣ କରିଛନ୍ତି।ଦୁର୍ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ବାୟୁସେନା ଘାଟିକୁ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା।
ପ୍ରବେଶ ଅନୁମତି ମଧ୍ୟ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା। ପରିସ୍ଥିତି ସାଧାରଣ ହେବା ପରେ ଘାଟିକୁ ପୁଣି ଖୋଲାଯାଇଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ।ବିଶେଷଜ୍ଞମାନଙ୍କ ମତରେ ଉଡ଼ାଣ ଆରମ୍ଭ ସମୟରେ କୌଣସି ଯାନ୍ତ୍ରିକ ତ୍ରୁଟି, ଇଞ୍ଜିନରେ ସମସ୍ୟା କିମ୍ବା ପରୀକ୍ଷାମୂଳକ ଉପକରଣର ବିଫଳତା ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇପାରେ। ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଚୂଡ଼ାନ୍ତ ତଦନ୍ତ ରିପୋର୍ଟ ଆସିବାକୁ ପ୍ରାୟ ଛଅ ମାସ ସମୟ ଲାଗିପାରେ ବୋଲି ଅନୁମାନ କରାଯାଉଛି।ଏହି ବୋମାବର୍ଷୀ ବିମାନ ଦୀର୍ଘ ଦୂରତା ଅତିକ୍ରମ କରି ପରମାଣୁ ଓ ପାରମ୍ପରିକ ଅସ୍ତ୍ର ବହନ କରିବାର କ୍ଷମତା ରଖିଥାଏ।
ଗତ ଶତାବ୍ଦୀର ମଧ୍ୟଭାଗରୁ ଏହା ଆମେରିକା ବାୟୁସେନାର ଏକ ପ୍ରମୁଖ ଶକ୍ତି ଭାବେ ପରିଚିତ। ୨୦୧୬ ମସିହା ପରେ ଏହା ପ୍ରଥମ ମାରାତ୍ମକ ଦୁର୍ଘଟଣା ବୋଲି କୁହାଯାଉଛି। ତେବେ ଆଶ୍ୱସ୍ତିର ବିଷୟ ହେଉଛି ଯେ, ଦୁର୍ଘଟଣାସ୍ଥଳ ବାହାରେ କୌଣସି ଜନଧନ କ୍ଷତି କିମ୍ବା ଅନ୍ୟ କାହାରି ଆହତ ହେବାର ଖବର ମିଳିନାହିଁ। ଘଟଣାକୁ ନେଇ ବିମାନ ନିର୍ମାଣ ସଂସ୍ଥା ଏବଂ ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି। ମୃତକମାନଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦୁର୍ଘଟଣାର କାରଣ ଖୋଜି ବାହାର କରିବାକୁ ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି।

