Mon. Apr 20th, 2026

ନ୍ୟୁଜ ଡେକ୍ସ : ଖାଇବା ତେଲ ଦର ବୃଦ୍ଧି ପାଇଁ ଖାଉଟିମାନଙ୍କ ଉପରେ ପଡ଼ିଛି ଆଉ ଏକ ମହଙ୍ଗା ଭାର। ଗ୍ୟାସ ଦର ବୃଦ୍ଧି ପରେ ବର୍ତ୍ତମାନ ଖାଇବା ତେଲ ଦର ବଢ଼ିବାରୁ ରୋଷେଇ ଘରର ବ୍ୟୟ ଆଉ ବଢ଼ିଛି। ବଜାରରେ ରିଫାଇନ୍ ଓ ପାମୋଲିନ୍ ତେଲ ଦର ଦିନକୁ ଦିନ ବଢ଼ିବାରେ ଲାଗିଛି। କିଛିଦିନ ତଳେ ଯେଉଁଠାରେ ରିଫାଇନ୍ ତେଲ ଲିଟର ପିଛା ୧୬୦ ଟଙ୍କାରେ ବିକ୍ରି ହେଉଥିଲା, ସେଠାରେ ଗତ ଦୁଇ ଦିନ ହେଲା ଏହାର ଦର ବଢ଼ି ୧୭୦ ଟଙ୍କାରେ ପହଞ୍ଚିଛି।

ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଚାଲୁଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ଆନ୍ତର୍ଜାତୀୟ ବଜାରରେ ତେଲ ଦର ବୃଦ୍ଧି ପାଇଁ ଦେଶୀ ବଜାରରେ ମଧ୍ୟ ତାହାର ପ୍ରଭାବ ପଡ଼ୁଛି। ଏହା ସହିତ ରାଜ୍ୟକୁ ଚାହିଦା ଅନୁଯାୟୀ ପରିମାଣର ତେଲ ଆସୁନଥିବାରୁ ଦର ବୃଦ୍ଧି ହେଉଥିବା ବୋଲି ବ୍ୟବସାୟୀମାନେ କହୁଛନ୍ତି।ଓଡିଶା ବଜାରରେ ପ୍ରତିଦିନ ପ୍ରାୟ ୧୦୦୦ ରୁ ୧୨୦୦ ଟନ ରିଫାଇନ୍ ଓ ପାମୋଲିନ୍ ତେଲର ଆବଶ୍ୟକତା ରହୁଛି। କିନ୍ତୁ ଚାହିଦାଠାରୁ କମ୍ ପରିମାଣର ତେଲ ଆସୁଥିବାରୁ ବଜାରରେ ଦର ବଢ଼ୁଥିବା ଦେଖାଯାଉଛି।

ଏହାକୁ ନେଇ ଖାଉଟିମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।ଅନ୍ୟପଟେ ରାଜ୍ୟ ବ୍ୟବସାୟୀ ସଂଘର ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ, ଓଡିଶାରେ ପ୍ରାୟ ୨୦ ଦିନ ପାଇଁ ତେଲ ଷ୍ଟକ ଉପଲବ୍ଧ ରହିଛି। ତେଣୁ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ବଜାରରେ ବଡ଼ ପ୍ରକାରର ସଙ୍କଟ ସୃଷ୍ଟି ହେବା ସମ୍ଭାବନା କମ୍ ବୋଲି ସେ କହିଛନ୍ତି। ତଥାପି ଦର ବୃଦ୍ଧି ନେଇ ଖାଉଟିମାନଙ୍କ ମଧ୍ୟରେ ଚିନ୍ତା ଜାରି ରହିଛି।

Leave a Reply

Your email address will not be published. Required fields are marked *