ନ୍ୟୁଜ ଡେକ୍ସ : ରାଜ୍ୟରେ ଗ୍ରୀଷ୍ମର ପ୍ରଭାବ ଧୀରେଧୀରେ ବଢିବାରେ ଲାଗିଛି। ଆଜିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଦିନ ତାପମାତ୍ରା ବୃଦ୍ଧି ପାଇବାର ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ପୂର୍ବାନୁମାନ ଅନୁସାରେ ଦିନ ତାପମାତ୍ରା ପ୍ରାୟ ୨ ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢିପାରେ। ଏହା ସହିତ ଆଗାମୀ ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ମୁଖ୍ୟତଃ ଶୁଖିଲା ରହିବାର ସମ୍ଭାବନା ରହିଛି।ଗ୍ରୀଷ୍ମ ଆରମ୍ଭ ହେବା ସହିତ ତାତି ଲୋକଙ୍କୁ ଅସ୍ଥିର କରିଦେଇଛି।
ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ତାପମାତ୍ରା ବେଶି ରେକର୍ଡ ହୋଇଛି। ସେଥିରେ ଝାରସୁଗୁଡ଼ା ସବୁଠାରୁ ଉତ୍ତପ୍ତ ସହର ଭାବେ ଚିହ୍ନଟ ହୋଇଛି। ସେଠାରେ ସର୍ବାଧିକ ୩୭.୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି। ଅନ୍ୟପଟେ ରାୟଗଡ଼ାରେ ସର୍ବନିମ୍ନ ତାପମାତ୍ରା ୧୭.୪ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି।ତାପମାତ୍ରା ବଢୁଥିବା ସତ୍ତ୍ୱେ କିଛି ଜିଲ୍ଲାରେ ବର୍ଷାର ସମ୍ଭାବନା ମଧ୍ୟ ରହିଛି। ଆଗାମୀ ୨୪ ଘଣ୍ଟା ପାଇଁ ରାଜ୍ୟର ୪ଟି ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଓ ଭଦ୍ରକ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା କଥା କୁହାଯାଇଛି।
ଏହା ସହିତ ବିଜୁଳି ଘଡଘଡି ସହ ଘଣ୍ଟା ପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ସତର୍କ କରିଛି। ଏହି ପରିସ୍ଥିତିକୁ ଦେଖି ଉକ୍ତ ୪ଟି ଜିଲ୍ଲାର ଲୋକମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି।ପାଣିପାଗ ବିଭାଗ କହିଛି ଯେ ଆସନ୍ତା କିଛି ଦିନ ଧରି ଦିନ ତାପମାତ୍ରା ଧୀରେଧୀରେ ବଢିବା ସହିତ ରାଜ୍ୟର ଅଧିକାଂଶ ସ୍ଥାନରେ ତାତିର ପ୍ରଭାବ ଅନୁଭବ ହେବ। ତେଣୁ ଲୋକମାନେ ଅତ୍ୟାବଶ୍ୟକ କାମ ଛଡ଼ା ଦିନ ବେଳେ ବାହାରକୁ ନ ଯିବା, ପର୍ଯ୍ୟାପ୍ତ ପାଣି ପିଇବା ଓ ତାପମାତ୍ରାରୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି।

