ନ୍ୟୁଜ ଡେକ୍ସ : ଭାରତୀୟ ଖେଳ ପ୍ରାଧିକରଣ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ପୁରୀ ଜିଲ୍ଲାରେ ଆସନ୍ତା ମାର୍ଚ୍ଚ ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଫିଟ୍ ଇଣ୍ଡିଆ କାର୍ନିଭାଲ–୨୦୨୬ ଆୟୋଜିତ ହେବ। ଏହି ତିନିଦିନିଆ କାର୍ଯ୍ୟକ୍ରମକୁ ନେଇ ପ୍ରସ୍ତୁତି ଜୋରଦାର ଭାବେ ଚାଲିଥିବାବେଳେ ଏନେଇ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ କୋଲକାତାସ୍ଥିତ ଭାରତୀୟ ଖେଳ ପ୍ରାଧିକରଣର ଆଞ୍ଚଳିକ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଫିଟ୍ ଇଣ୍ଡିଆ କାର୍ନିଭାଲ–୨୦୨୬ ଆୟୋଜନ ସମ୍ପର୍କିତ ବିଭିନ୍ନ ପ୍ରସ୍ତୁତି ଓ ବ୍ୟବସ୍ଥାର ସମୀକ୍ଷା କରାଯାଇଥିଲା।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫିଟ୍ ଇଣ୍ଡିଆ ମିଶନ ଅଧୀନରେ ଦେଶର ନାଗରିକମାନଙ୍କ ମଧ୍ୟରେ ସୁସ୍ଥ ଓ ନିରାମୟ ଜୀବନ ଯାପନ ଶୈଳୀକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି କାର୍ନିଭାଲ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମରେ ଯୁବବର୍ଗଙ୍କ ଠାରୁ ନେଇ ମହିଳା, ବରିଷ୍ଠ ନାଗରିକ, ଏନସିସି ଓ ଏନଏସଏସ ସ୍ବେଚ୍ଛାସେବୀ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଏବଂ ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କୁ ଏଥିରେ ସାମିଲ କରାଯିବାର ବ୍ୟବସ୍ଥା ରହିଛି। ତିନିଦିନ ଧରି ଆୟୋଜିତ ହେବାକୁ ଥିବା ଏହି କାର୍ନିଭାଲରେ ସକାଳ ସମୟରେ ପୁରୀ ବେଳାଭୂମିରେ ଯୋଗ, ପ୍ରାଣାୟାମ, ୱାକାଥନ୍ ଓ ମାରାଥନ୍ ସହିତ ବିଭିନ୍ନ କ୍ରୀଡ଼ା କାର୍ଯ୍ୟକ୍ରମ ହେବ। ଏହା ସହ ଦୌଡ଼କୁଦ, ଫୁଟବଲ, ଜୁମ୍ବା, ଏରୋବିକ୍ସ ଓ ଭଲିବଲ ଭଳି କ୍ରୀଡ଼ା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ। ମହିଳା ଓ ଶିଶୁମାନଙ୍କ ପାଇଁ ବିଶେଷ ଭାବରେ କିଡ଼ସ ଜୋନ ଓ ମହିଳା ୱେଲନେସ ଜୋନ୍ ସ୍ଥାପନ କରାଯିବା ସହ ଶାରୀରିକ ଓ ମାନସିକ ସୁସ୍ଥତାକୁ ଗୁରୁତ୍ୱ ଦେଇ ସାମୁହିକ ଧ୍ୟାନ ଓ ଆୟୁଷ ୱେଲନେସ୍ ସେଣ୍ଟରର ବ୍ୟବସ୍ଥା ରହିବ।
ସନ୍ଧ୍ୟା ସମୟରେ ଏହି କାର୍ନିଭାଲକୁ ଆକର୍ଷଣୀୟ କରିବା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ ହେବ। ଗୋଟିପୁଅ ନୃତ୍ୟ, ମଲଖମ୍ଭ ପ୍ରଦର୍ଶନ, ଫିଟନେସ ଫ୍ୟାସନ ୱାକ ସହ ଫିଟନେସ ଷ୍ଟୋରୀ ଓପନ ମାଇକ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସଚେତନତା ପ୍ରତି ଆକର୍ଷିତ କରାଯିବ। କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫିଟ୍ ଇଣ୍ଡିଆ ମିଶନ ଅଧୀନରେ ଓଡ଼ିଶାରେ ପ୍ରଥମ ଥର ପାଇଁ ପୁରୀରେ ଏହି ଫିଟ୍ ଇଣ୍ଡିଆ କାର୍ନିଭାଲର ଆୟୋଜନ ହେଉଛି। ଏହା ମାଧ୍ୟମରେ ସମସ୍ତଙ୍କୁ ସୁସ୍ଥ ଜୀବନ ଯାପନ ଶୈଳୀ ଅପନାଇବା ପାଇଁ ପ୍ରେରଣା ମିଳିବ ଏବଂ ଶାରୀରିକ ଓ ମାନସିକ ଭାବେ ସମସ୍ତେ ଫିଟ୍ ରହିବାକୁ ପ୍ରାଧାନ୍ୟ ଦିଆଯିବ। ଏହା ସହିତ ଓଡ଼ିଶାର ପାରମ୍ପରିକ କଳା ଓ ସଂସ୍କୃତି ଯଥା ଗୋଟିପୁଅ ଓ ମଲଖମ୍ଭ ପ୍ରଦର୍ଶନ ମାଧ୍ୟମରେ ରାଜ୍ୟର ସମୃଦ୍ଧ ଐତିହ୍ୟକୁ ମଧ୍ୟ ପ୍ରଦର୍ଶିତ କରାଯିବ।
ଫିଟ୍ ଇଣ୍ଡିଆ କାର୍ନିଭାଲର ସଫଳ ଆୟୋଜନ ପାଇଁ ସମସ୍ତ ପ୍ରଶାସନିକ ଓ ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଥିବାବେଳେ ପୁରୀ ଜିଲ୍ଲା ସମେତ ସମଗ୍ର ଓଡ଼ିଶାର ଲୋକମାନେ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିବେ ବୋଲି କ୍ରୀଡ଼ାମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।ଏହା ସହ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓଡ଼ିଶାରେ କ୍ରୀଡ଼ା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ନେଇ ଭାରତୀୟ ଖେଳ ପ୍ରାଧିକରଣର ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ସେଥିପାଇଁ ଆଞ୍ଚଳିକ କାର୍ଯ୍ୟାଳୟର କ୍ରୀଡ଼ା ଭିତ୍ତିଭୂମିକୁ ବୁଲି ଦେଖିବା ସହ କ୍ରୀଡ଼ାବିତ୍ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ।

