Thu. Jun 4th, 2026

ନ୍ୟୁଜ ଡେକ୍ସ : ମଧ୍ୟ-ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ଏବଂ ସମ୍ଭାବ୍ୟ ଇନ୍ଧନ ସଙ୍କଟକୁ ଦୃଷ୍ଟିରେ ରଖି ଦେଶର ରାଜଧାନୀ ଦିଲ୍ଲୀରେ ଏକ ନୂତନ କାର୍ଯ୍ୟଶୈଳୀ ଆରମ୍ଭ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ଇନ୍ଧନ ସଞ୍ଚୟ’ ଆହ୍ୱାନକୁ ଆଧାର କରି ଦିଲ୍ଲୀ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ସପ୍ତାହକୁ ଦୁଇ ଦିନ ଘରେ ରହି କାମ କରିବା ବାଧ୍ୟତାମୂଳକ କରିଛନ୍ତି।ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଅଭାବ ଏବଂ ଦର ବୃଦ୍ଧି ଯୋଗୁଁ ଭାରତକୁ ନିଜର ଇନ୍ଧନ ବ୍ୟବହାରରେ କଟକଣା ଲଗାଇବାକୁ ପଡ଼ିବ।

ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ପକ୍ଷରୁ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି।ନୂତନ ନିୟମ ଅନୁଯାୟୀ, ସରକାରୀ କାର୍ଯ୍ୟାଳୟର କର୍ମଚାରୀମାନେ ସପ୍ତାହକୁ ୫ ଦିନ ପରିବର୍ତ୍ତେ କେବଳ ୩ ଦିନ ଅଫିସ୍‌କୁ ଯିବେ ଏବଂ ବାକି ୨ ଦିନ ଘରୁ କାମ କରିବେ। ଏହାସହ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଅନ୍ୟ ସମସ୍ତ ସରକାରୀ ଗାଡ଼ିର ବ୍ୟବହାରକୁ ସୀମିତ କରାଯାଇଛି। ସରକାରଙ୍କ ପକ୍ଷରୁ ଘରୋଇ କମ୍ପାନୀଗୁଡ଼ିକୁ ମଧ୍ୟ ସେମାନଙ୍କ କର୍ମଚାରୀଙ୍କ ପାଇଁ ‘ୱର୍କ ଫ୍ରମ୍ ହୋମ୍’ ବ୍ୟବସ୍ଥା ଆପଣାଇବାକୁ ପରାମର୍ଶ ଦିଆଯାଇଛି।ସରକାରଙ୍କ ମତାନୁସାରେ, ଏହି ପଦକ୍ଷେପ ଦ୍ୱାରା କେବଳ ପେଟ୍ରୋଲ ଓ ଡିଜେଲ ସଞ୍ଚୟ ହେବ ନୁହେଁ, ବରଂ ଦିଲ୍ଲୀର ପ୍ରଦୂଷଣ ସ୍ତର ଏବଂ ଟ୍ରାଫିକ୍ ଭିଡ଼ ମଧ୍ୟ କମିବ।

ଆକଳନ ଅନୁଯାୟୀ, ଏହି ନୀତି ଦ୍ୱାରା ପ୍ରତିଦିନ ହଜାର ହଜାର ଲିଟର ଇନ୍ଧନ ସଞ୍ଚୟ ହୋଇପାରିବ।ତେବେ କେତେକ ଅତ୍ୟାବଶ୍ୟକ ସେବାକୁ ଏହି ନିୟମରୁ ବାଦ ଦିଆଯାଇଛି। ଡାକ୍ତରଖାନା ଓ ସ୍ୱାସ୍ଥ୍ୟ ସେବା, ପୋଲିସ ଏବଂ ସୁରକ୍ଷା ବଳ, ଅଗ୍ନିଶମ ବାହିନୀ, ଜଳ ଯୋଗାଣ ଓ ବିଦ୍ୟୁତ ବିଭାଗର କର୍ମଚାରୀମାନେ ପୂର୍ବଭଳି ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ।

Leave a Reply

Your email address will not be published. Required fields are marked *