ନ୍ୟୁଜ ଡେକ୍ସ : ଦିଲ୍ଲୀ ବିମାନବନ୍ଦର ରେ ଗୁରୁବାର ଦିନ ପ୍ରାୟ ୨ଟା ସମୟରେ ବଡ଼ ଅଘଟଣ ଟଳିଯାଇଛି। ରନୱେରେ ଆକାଶ ଏୟାର ର ବିମାନ ପାର୍କିଂ ଅଞ୍ଚଳକୁ ଯାଉଥିବାବେଳେ ବିପରୀତ ଦିଗରୁ ଆସୁଥିବା ସ୍ପାଇସଜେଟ ର ଏକ ବିମାନ ସହିତ ଧକ୍କା ହୋଇଥିଲା।ଏହି ଧକ୍କା ପରେ ବିମାନରେ ଥିବା ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ତେବେ ସୌଭାଗ୍ୟବଶତଃ କୌଣସି ମୃତାହତ ଘଟିନାହିଁ ଏବଂ ସମସ୍ତ ଯାତ୍ରୀ ଓ କର୍ମଚାରୀ ସୁରକ୍ଷିତ ରହିଛନ୍ତି।
ସାମାନ୍ୟ ଭୁଲ ମଧ୍ୟ ଏକ ବଡ଼ ଦୁର୍ଘଟଣାର ରୂପ ନେଇପାରୁଥିଲା ବୋଲି କୁହାଯାଉଛି।ସୂଚନାନୁସାରେ, ଲେହରୁ ଆସୁଥିବା ସ୍ପାଇସଜେଟର B737-700 ବିମାନ ଟର୍ମିନାଲ ୧ ନିକଟକୁ ପହଞ୍ଚୁଥିବା ସମୟରେ ଏହି ଘଟଣା ଘଟିଥିଲା। ସେହି ସମୟରେ ଆକାଶ ଏୟାରର QP 1406 ବିମାନ ହାଇଦ୍ରାବାଦ ଅଭିମୁଖେ ଯାତ୍ରା ପାଇଁ ପ୍ରସ୍ତୁତ ହେଉଥିଲା।
ଉଭୟ ବିମାନର ଓ୍ବିଙ୍ଗସ ଧକ୍କା ହୋଇଥିବା ସୂଚନା ମିଳିଛି।ଘଟଣା ପରେ ସତର୍କତାମୂଳକ ଭାବେ ଦୁଇଟି ବିମାନକୁ ଗ୍ରାଉଣ୍ଡ କରାଯାଇଥିଲା। ପରେ ଆକାଶ ଏୟାର ପକ୍ଷରୁ ଯାତ୍ରୀମାନଙ୍କୁ ହାଇଦ୍ରାବାଦ ପଠାଇବା ପାଇଁ ବିକଳ୍ପ ବିମାନ ବ୍ୟବସ୍ଥା କରାଯାଇଥିଲା। ଏହି ଘଟଣାକୁ ନେଇ ବିମାନବନ୍ଦର କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି।

