ନ୍ୟୁଜ ଡେକ୍ସ : ବିଶ୍ୱର ସର୍ବବୃହତ ବିମାନ ବାହକ ୟୁଏସଏସ୍ ଜେରାଲ୍ଡ ଆର. ଫୋର୍ଡ ଦୀର୍ଘ ସମୟ ଧରି ସମୁଦ୍ରରେ ରହି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ପ୍ରାୟ ୧୦ ମାସ ଧରି ନିରନ୍ତର ସେବା ପ୍ରଦାନ କରୁଥିବା ଏହି ବିମାନ ବାହକ ଜାହାଜ ୨୯୫ ଦିନ ସମୁଦ୍ରରେ ରହି ଗତ ୫୦ ବର୍ଷର ସର୍ବାଧିକ ନିୟୋଜନ ସମୟର ରେକର୍ଡ ଭାଙ୍ଗିଛି।
ପୂର୍ବରୁ ୨୦୨୦ ମସିହାରେ କୋଭିଡ-୧୯ ସମୟରେ ୟୁଏସଏସ୍ ଆବ୍ରାହମ ଲିଙ୍କନ କୁ ୨୯୪ ଦିନ ପର୍ଯ୍ୟନ୍ତ ସମୁଦ୍ରରେ ନିୟୋଜିତ କରାଯାଇଥିଲା। ୟୁଏସ୍ ନୌସେନା ପ୍ରତିଷ୍ଠାନର ତଥ୍ୟ ଅନୁସାରେ, ନୂଆ ରେକର୍ଡ ସହିତ ଏହି ଜାହାଜ ଏବେ ଦୀର୍ଘତମ ନିୟୋଜନ ସମୟର ଇତିହାସ ରଚିଛି।ତେବେ ଏତେ ଦୀର୍ଘ ସମୟ ଧରି ସମୁଦ୍ରରେ ରହିବା ଫଳରେ ଜାହାଜରେ କାମ କରୁଥିବା ସୈନିକମାନଙ୍କ ଉପରେ ମାନସିକ ଚାପ ବଢ଼ିବା ନେଇ ଚିନ୍ତା ଦେଖାଦେଇଛି।
ସେମାନେ ଦୀର୍ଘ ସମୟ ଧରି ଛୁଟି ବିନା ନିଜର କର୍ତ୍ତବ୍ୟ ପାଳନ କରୁଥିବାରୁ ଏହା ଗୁରୁତର ବିଷୟ ହୋଇଉଠିଛି।ଅନ୍ୟପଟେ, ଇରାନ ଯୁଦ୍ଧ ସମୟରେ ଏହି ଜାହାଜରେ ଅଗ୍ନିକାଣ୍ଡ ଘଟିଥିବା ଖବର ମଧ୍ୟ ସାମ୍ନାକୁ ଆସିଥିଲା। ଦୀର୍ଘ ସମୟ ଧରି ସମୁଦ୍ରରେ ମୁତୟନ ରହିବାରୁ କିଛି ସୈନିକଙ୍କ ଅସନ୍ତୋଷ ଏହାର କାରଣ ହୋଇଥିବା ଅନୁମାନ କରାଯାଉଛି। ତେବେ ଏହି ଘଟଣାର ତଦନ୍ତ ଏବେ ମଧ୍ୟ ଜାରି ରହିଛି।

