Wed. Jun 3rd, 2026

ନ୍ୟୁଜ ଡେକ୍ସ : ଭାରତୀୟ ରେଳବାଇର ପ୍ରିମିୟମ୍ ଟ୍ରେନଗୁଡ଼ିକରେ ଯାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା କ୍ୟାଟରିଂ ସେବାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି। ମୁମ୍ବାଇ-ଏର୍ନାକୁଲମ୍ ଦୁରନ୍ତୋ ଏକ୍ସପ୍ରେସରେ ଟ୍ରେନର ଶୌଚାଳୟ ପରିସରରେ ବାସନ ଧୋଇବା ଅଭିଯୋଗ ସମ୍ବଳିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଘଟଣାଟି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।ସୂଚନା ଅନୁଯାୟୀ, ଲୋକମାନ୍ୟ ତିଲକ ଟର୍ମିନସ୍ (LTT)-ଏର୍ନାକୁଲମ୍ ଦୁରନ୍ତୋ ଏକ୍ସପ୍ରେସ୍ (ଟ୍ରେନ୍ ନମ୍ବର 12223)ରେ ଯାତ୍ରୀମାନଙ୍କୁ ପରିବେଷଣ କରାଯାଉଥିବା ଖାଦ୍ୟ ସହ ଜଡିତ ଏହି ଘଟଣାରେ କ୍ୟାଟରିଂ କର୍ମଚାରୀମାନେ ଟ୍ରେନର ଶୌଚାଳୟ ନିକଟରେ ବାସନ ଧୋଇଥିବା ଦେଖାଯାଇଥିବା ଅଭିଯୋଗ ହୋଇଛି।

ଘଟଣାକୁ ଗୁରୁତର ଭାବେ ନେଇ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ୨୮ ମେ ୨୦୨୬ରେ IRCTCକୁ ଏକ ବୈଧାନିକ ନୋଟିସ ଜାରି କରିଛି। ଏଥିରେ ଘଟଣା ସମ୍ପର୍କିତ ତଥ୍ୟାତ୍ମକ ରିପୋର୍ଟ ଏବଂ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ବିବରଣୀ ତୁରନ୍ତ ଦାଖଲ କରିବାକୁ କୁହାଯାଇଛି। FSSAI କହିଛି ଯେ, ଏପରି କାର୍ଯ୍ୟ ଖାଦ୍ୟ ସୁରକ୍ଷା ଓ ସ୍ୱଚ୍ଛତା ନିୟମର ସ୍ପଷ୍ଟ ଉଲ୍ଲଂଘନ। ଏହା ଯାତ୍ରୀଙ୍କ ସ୍ୱାସ୍ଥ୍ୟ ପାଇଁ ଗୁରୁତର ବିପଦ ସୃଷ୍ଟି କରିପାରେ। ଖାଦ୍ୟ ସୁରକ୍ଷା ଏବଂ ମାନକ (ଖାଦ୍ୟ ବ୍ୟବସାୟର ଲାଇସେନ୍ସିଂ ଓ ପଞ୍ଜିକରଣ) ନିୟମାବଳୀ, ୨୦୧୧ ଅନୁଯାୟୀ ନିର୍ଦ୍ଧାରିତ ସ୍ୱଚ୍ଛତା ମାନଦଣ୍ଡର ଏହା ଉଲ୍ଲଂଘନ ବୋଲି ପ୍ରାଧିକରଣ ମତ ପ୍ରକାଶ କରିଛି।ଏହାସହ FSSAI ସମସ୍ତ ରେଳ କ୍ୟାଟରିଂ ସେବାରେ ସ୍ୱଚ୍ଛତା ନିୟମର କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବାକୁ IRCTCକୁ ନିର୍ଦ୍ଦେଶ ଦେଇଛି। ନିୟମ ଉଲ୍ଲଂଘନ ହେଲେ ଖାଦ୍ୟ ସୁରକ୍ଷା ଓ ମାନକ ଆଇନ, ୨୦୦୬ ଅନୁଯାୟୀ କଡ଼ା ଆଇନଗତ ଏବଂ ନିୟାମକ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ଚେତାବନୀ ଦିଆଯାଇଛି।ଏପଟେ IRCTC ନୋଟିସର ଜବାବ ଦେଇ କହିଛି ଯେ, ୨୪ ମେ ୨୦୨୬ରେ ଘଟଣା ସାମ୍ନାକୁ ଆସିବା ପରେ ତୁରନ୍ତ ପଦକ୍ଷେପ ନିଆଯାଇଥିଲା।

ସମ୍ପୃକ୍ତ ସେବା ପ୍ରଦାନକାରୀଙ୍କ ଉପରେ ଜରିମାନା ଲାଗୁ କରାଯାଇଥିବାବେଳେ ଜଡିତ କର୍ମଚାରୀମାନଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। ଯାତ୍ରୀଙ୍କ ସୁରକ୍ଷା ଓ ପରିଷ୍କାର ପରିଚ୍ଛନ୍ନତା ଏହାର ସର୍ବୋଚ୍ଚ ପ୍ରାଥମିକତା ବୋଲି IRCTC ସ୍ପଷ୍ଟ କରିଛି। ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଶେଷକରି ପ୍ରଥମ AC ଭଳି ପ୍ରିମିୟମ୍ ଶ୍ରେଣୀର କୋଚ୍‌ରେ ଏପରି ଘଟଣା ଘଟିଥିବା ଅଭିଯୋଗକୁ ନେଇ ଯାତ୍ରୀମାନେ ଚିନ୍ତା ପ୍ରକାଶ କରିଛନ୍ତି। ଖାଦ୍ୟ ସୁରକ୍ଷା ଓ ଜନସ୍ୱାସ୍ଥ୍ୟ ସହ ଜଡିତ ଏହି ମାମଲାରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

Leave a Reply

Your email address will not be published. Required fields are marked *