Wed. Jun 3rd, 2026

ନ୍ୟୁଜ ଡେକ୍ସ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରି ଗ୍ରୀଷ୍ମ ପ୍ରବାହରୁ ସୁରକ୍ଷିତ ରହିବା ପାଇଁ ପାରମ୍ପରିକ ଦେଶୀ ପାନୀୟର ବ୍ୟବହାର ଉପରେ ଗୁରୁତ୍ୱ ଦେଇଛନ୍ତି। ସେ ଓଡ଼ିଶାର ଲୋକପ୍ରିୟ ବେଲ ପଣା ସହ ଆମ୍ବ ପଣା ଭଳି ପାନୀୟର ଭୂୟସୀ ପ୍ରଶଂସା କରି କହିଛନ୍ତି ଯେ ଏହି ପ୍ରାକୃତିକ ପାନୀୟଗୁଡ଼ିକ ଖରା ଦିନରେ ଶରୀରକୁ ସୁସ୍ଥ ଓ ସତେଜ ରଖିବାରେ ସହାୟକ ହୋଇଥାଏ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ଥାନୀୟ ଅଞ୍ଚଳରେ ମିଳୁଥିବା ପାରମ୍ପରିକ ପାନୀୟଗୁଡ଼ିକ କେବଳ ସ୍ୱାଦିଷ୍ଟ ନୁହେଁ, ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଅତ୍ୟନ୍ତ ଉପକାରୀ। ଓଡ଼ିଶାରେ ଘରେ ଘରେ ପ୍ରସ୍ତୁତ ହେଉଥିବା ବେଲ ପଣା ପେଟକୁ ଥଣ୍ଡା ରଖିବା ସହ ଶରୀରକୁ ଗରମର ପ୍ରଭାବରୁ ସୁରକ୍ଷା ଦେଇଥାଏ। ସେ ଲୋକମାନଙ୍କୁ ବଜାରରେ ମିଳୁଥିବା କୃତ୍ରିମ ଥଣ୍ଡା ପାନୀୟ ବଦଳରେ ଦେଶୀ ଓ ପ୍ରାକୃତିକ ପାନୀୟ ପ୍ରତି ଆକୃଷ୍ଟ ହେବାକୁ ପରାମର୍ଶ ଦେଇଛନ୍ତି।ସେହିପରି ଖରା ଋତୁରେ ମିଳୁଥିବା ଆମ୍ବର ଉପଯୋଗିତା ସମ୍ପର୍କରେ ମଧ୍ୟ ସେ ଆଲୋଚନା କରିଛନ୍ତି। ଆମ୍ବରୁ ପ୍ରସ୍ତୁତ ଆମ୍ବ ପଣା ଏବଂ ଅନ୍ୟାନ୍ୟ ପାରମ୍ପରିକ ପାନୀୟ ଶରୀରରେ ଜଳୀୟ ଅଂଶ ବଜାୟ ରଖିବା ସହ ଗ୍ରୀଷ୍ମ ପ୍ରବାହର ପ୍ରଭାବକୁ କମାଇବାରେ ସହାୟକ ହୋଇଥାଏ। ଭାରତର ବିଭିନ୍ନ ରାଜ୍ୟରେ ଏପରି ଅନେକ ଦେଶୀ ପାନୀୟର ପରମ୍ପରା ରହିଛି, ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ସେ କହିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ସତର୍କ ରହିବାକୁ ଅପିଲ କରିଛନ୍ତି। ସେ ପ୍ରଚୁର ପରିମାଣରେ ପାଣି ପିଇବା, ଅତ୍ୟାବଶ୍ୟକ କାମ ନଥିଲେ ଦିନ ବେଳେ ଘରୁ ବାହାରକୁ ନ ଯିବା ଏବଂ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି।ପଶୁପକ୍ଷୀଙ୍କ ପ୍ରତି ମାନବିକତା ଦେଖାଇବାକୁ ମଧ୍ୟ ସେ ଆହ୍ୱାନ ଜଣାଇଛନ୍ତି। ପ୍ରଚଣ୍ଡ ଗରମ ସମୟରେ ଘର ବାହାରେ କିମ୍ବା ଛାତ ଉପରେ ପାଣି ରଖି ପକ୍ଷୀ ଓ ଅନ୍ୟ ପଶୁଙ୍କ ଶୋଷ ମେଣ୍ଟାଇବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଏହି ବାର୍ତ୍ତା ଗ୍ରୀଷ୍ମ ପ୍ରବାହ ସମୟରେ ସ୍ୱାସ୍ଥ୍ୟ ସୁରକ୍ଷା ଓ ପରିବେଶ ପ୍ରତି ଦାୟିତ୍ୱବୋଧର ଏକ ସକାରାତ୍ମକ ସନ୍ଦେଶ ଦେଇଛି।

Leave a Reply

Your email address will not be published. Required fields are marked *