ନ୍ୟୁଜ ଡେକ୍ସ : ଉତ୍ତରାଖଣ୍ଡରେ ଗତ କିଛି ଦିନ ଧରି ଲଗାତାର ବର୍ଷା ଓ ପାଗର ଅବନତି ଯୋଗୁଁ ଚାରଧାମ ଯାତ୍ରା ପ୍ରଭାବିତ ହୋଇଛି। ବିଶେଷକରି କେଦାରନାଥ ଯାତ୍ରା ମାର୍ଗରେ ଭୂସ୍ଖଳନ ଏବଂ ବର୍ଷାଜନିତ ବିପଦ ବୃଦ୍ଧି ପାଇଥିବାରୁ ପ୍ରଶାସନ ଯାତ୍ରାକୁ ଅସ୍ଥାୟୀ ଭାବେ ସ୍ଥଗିତ ରଖିଛି। ଏହାଫଳରେ ହଜାର ହଜାର ତୀର୍ଥଯାତ୍ରୀ ବିଭିନ୍ନ ସ୍ଥାନରେ ଅଟକି ରହିଥିବା ବେଳେ ଯାତାୟାତ ବ୍ୟବସ୍ଥା ମଧ୍ୟ ବାଧାପ୍ରାପ୍ତ ହୋଇଛି।
ରୁଦ୍ରପ୍ରୟାଗ ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ପ୍ରବଳ ବର୍ଷା ପାଇଁ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରି କରିଥିବାରୁ ତୀର୍ଥଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେଦାରନାଥ ଯାତ୍ରା ବନ୍ଦ ରଖାଯାଇଛି। ସ୍ଥାନୀୟ ପୋଲିସ ଭକ୍ତମାନଙ୍କୁ ଧୈର୍ଯ୍ୟ ଧାରଣ କରିବା ସହ ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ କରିଛି। ତୀର୍ଥଯାତ୍ରୀଙ୍କ ସହାୟତା ପାଇଁ 8958757335 ଓ 8218326386 ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଥିବା ବେଳେ ଜରୁରୀ ପରିସ୍ଥିତିରେ ୧୧୨ ନମ୍ବରରେ ମଧ୍ୟ ଯୋଗାଯୋଗ କରାଯାଇପାରିବ। ଅନ୍ୟପକ୍ଷରେ, ଯୋଶୀମଠ ନିକଟ ବଦ୍ରିନାଥ ଜାତୀୟ ରାଜପଥ-୭ରେ ଦୀର୍ଘ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଛି। ଜାମ୍ ଯୋଗୁଁ ଯାନବାହାନ ଚଳାଚଳ ପ୍ରାୟ ଠପ୍ ହୋଇଯାଇଥିବା ବେଳେ ପୋଲିସ ଓ ପ୍ରଶାସନ ପକ୍ଷରୁ ସ୍ଥିତି ସ୍ୱାଭାବିକ କରିବାକୁ ପଦକ୍ଷେପ ନିଆଯାଉଛି। ଜାମ୍ ନିୟନ୍ତ୍ରଣ ପାଇଁ ୩୦ ମିନିଟ୍ ବ୍ୟବଧାନରେ ଏକପାଖିଆ ଯାତାୟାତ ବ୍ୟବସ୍ଥା ସହ ଟୋକନ୍ ଆଧାରିତ ଗେଟ୍ ସିଷ୍ଟମ କାର୍ଯ୍ୟକାରୀ କରାଯାଇଛି।
ଚମୋଲି ଜିଲ୍ଲା ପୋଲିସ ଅଧିକ୍ଷକ ସୁରଜିତ ସିଂହ ପନୱାରଙ୍କ କହିବା ଅନୁଯାୟୀ, ପ୍ରତିଦିନ ପ୍ରାୟ ୩୦ ହଜାରରୁ ୩୫ ହଜାର ତୀର୍ଥଯାତ୍ରୀ ବଦ୍ରିନାଥ ଧାମ ଏବଂ ୫ ହଜାରରୁ ୧୦ ହଜାର ଭକ୍ତ ହେମକୁଣ୍ଡ ସାହିବ ଅଭିମୁଖେ ଯାତ୍ରା କରୁଛନ୍ତି। ଏତେ ସଂଖ୍ୟକ ଯାତ୍ରୀଙ୍କ ଚାପ ଯୋଗୁଁ ରାଜପଥ ଉପରେ ଅଧିକ ଚାପ ପଡ଼ୁଛି। ବିଶେଷକରି ଯୋଶୀମଠ-ମାରୱାଡି-ବିଷ୍ଣୁପ୍ରୟାଗ ମାର୍ଗର ପ୍ରାୟ ୧୦ କିଲୋମିଟର ରାସ୍ତାର ଅବସ୍ଥା ଅତ୍ୟନ୍ତ ଖରାପ ଥିବାରୁ ଯାତାୟାତରେ ଅଧିକ ସମସ୍ୟା ସୃଷ୍ଟି ହେଉଛି।ପ୍ରଶାସନ ପକ୍ଷରୁ ପାଣିପାଗ ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ତୀର୍ଥଯାତ୍ରୀଙ୍କୁ ସତର୍କ ରହିବା ସହ ଆବଶ୍ୟକ ନିର୍ଦ୍ଦେଶ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।

