Wed. Jun 3rd, 2026

ନ୍ୟୁଜ ଡେକ୍ସ : ମିଆଁମାରର ଉତ୍ତର-ପୂର୍ବାଞ୍ଚଳରେ ଖଣି ବିସ୍ଫୋରକ ସାମଗ୍ରୀ ଗଚ୍ଛିତ ଥିବା ଏକ ବିଲ୍ଡିଂରେ ଘଟିଥିବା ଭୟଙ୍କର ବିସ୍ଫୋରଣରେ ଅତିକମରେ ୪୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ ଜଣ ଶିଶୁ ଥିବା ସୂଚନା ମିଳିଛି। ଏହି ଦୁର୍ଘଟଣା ଗତକାଲି ମଧ୍ୟାହ୍ଣରେ ନାମକାମ ସହରର କାଉଙ୍ଗଟୁପ୍ ଅଞ୍ଚଳରେ ଘଟିଥିଲା।ବିସ୍ଫୋରଣ ପରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରୁ ୪୬ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ସେହିପରି ୭୪ରୁ ଅଧିକ ଆହତଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।ସୂଚନା ଅନୁସାରେ, ଏହି ଘଟଣା ଚୀନ ସୀମାଠାରୁ ମାତ୍ର ୩ କିଲୋମିଟର ଦୂରରେ ଥିବା ଶାନ ରାଜ୍ୟର ଉତ୍ତର ଭାଗରେ ଘଟିଛି। ଏହି ଅଞ୍ଚଳ ବର୍ତ୍ତମାନ ତାଆଙ୍ଗ ନ୍ୟାସନାଲ ଲିବରେସନ ଆର୍ମି (ଟିଏନଏଲଏ) ନାମକ ଏକ ସଶସ୍ତ୍ର ଆଦିବାସୀ ସଂଗଠନର ନିୟନ୍ତ୍ରଣରେ ରହିଛି।

ସ୍ଥାନୀୟ ଗଣମାଧ୍ୟମ ଏବଂ ଉଦ୍ଧାରକାରୀ ଦଳର ସୂଚନା ଅନୁଯାୟୀ, ବିସ୍ଫୋରଣଟି ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଝଟକାରେ ଆଖପାଖ ଅଞ୍ଚଳର ୧୦୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ଅନେକ ଘରର କାନ୍ଥ ଭାଙ୍ଗିଯାଇଥିବା ବେଳେ କିଛି ଘର ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ବିସ୍ଫୋରକ ସାମଗ୍ରୀର ଅସାବଧାନ ସଂରକ୍ଷଣ ଯୋଗୁଁ ଏହି ଅଘଟଣ ଘଟିଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave a Reply

Your email address will not be published. Required fields are marked *