Mon. Jun 15th, 2026

ନ୍ୟୁଜ ଡେକ୍ସ : ପୁରୀରେ ଆସନ୍ତା ୨୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାକୁ ଶୃଙ୍ଖଳିତ, ସୁରକ୍ଷିତ ଓ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟାଳୟରେ ପୋଲିସ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଭିଡ଼ ନିୟନ୍ତ୍ରଣ, ଯାତାୟାତ ପରିଚାଳନା ଏବଂ ସାମଗ୍ରିକ ସୁରକ୍ଷା ବ୍ୟବସ୍ଥା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଶ୍ରୀମନ୍ଦିରର ରୀତିନୀତି ଅନୁଯାୟୀ ଦେବସ୍ନାନ ପୂର୍ଣ୍ଣିମା ସମେତ ଆଗାମୀ ରଥଯାତ୍ରାକୁ ମଧ୍ୟ ନିର୍ବିଘ୍ନ ଭାବେ ସମ୍ପନ୍ନ କରିବାକୁ ବରିଷ୍ଠ ଅଧିକାରୀମାନଙ୍କୁ ଆବଶ୍ୟକ ଦିଗ୍‌ଦର୍ଶନ ଦିଆଯାଇଥିଲା।ଏହି ଅବସରରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ସୁରକ୍ଷା ଓ ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ଏକ ବିସ୍ତୃତ ଉପସ୍ଥାପନା ରଖିଥିଲେ।ଚଳିତ ବର୍ଷ ଦେବସ୍ନାନ ପୂର୍ଣ୍ଣିମା ପାଇଁ ମୋଟ ୭୨ ପ୍ଲାଟୁନ୍ ପୋଲିସ ବଳ ମୁତୟନ କରାଯିବ।

ସୁରକ୍ଷା ବ୍ୟବସ୍ଥାର ତଦାରଖ ପାଇଁ ୬ ଜଣ ଜିଲ୍ଲା ଆରକ୍ଷୀ ଅଧିକାରୀ, ୧୭ ଜଣ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ, ୪୨ ଜଣ ଉପ ଆରକ୍ଷୀ ଅଧିକାରୀ ଏବଂ ୯୪ ଜଣ ନିରୀକ୍ଷକଙ୍କ ସହ ଶତାଧିକ ସହକାରୀ ଉପନିରୀକ୍ଷକ, ହାବିଲଦାର ଓ କନଷ୍ଟେବଳ ନିୟୋଜିତ ହେବେ।ସମୀକ୍ଷା ବୈଠକରେ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ, ଆଇନ ଓ ଶୃଙ୍ଖଳା ବିଭାଗର ବରିଷ୍ଠ ଅଧିକାରୀ, ପୋଲିସ କମିସନରଙ୍କ ସମେତ ଅନେକ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ। ପୁରୀ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାର ଅଧିକାରୀମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇ ଆବଶ୍ୟକ ପ୍ରସ୍ତୁତି ସମ୍ପର୍କରେ ମତାମତ ରଖିଥିଲେ।

Leave a Reply

Your email address will not be published. Required fields are marked *