ନ୍ୟୁଜ ଡେକ୍ସ : ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ଆଜି ସକାଳେ ଦୁଇଟି ରେଳଗାଡ଼ି ମୁହାଁମୁହିଁ ଧକ୍କା ହୋଇଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଝାରପଡ଼ା ନିକଟସ୍ଥ ରେଳ ସେତୁ ପାଖରେ ସକାଳ ପ୍ରାୟ ୯ଟା ୬ ମିନିଟ୍ରେ ଏହି ଦୁର୍ଘଟଣା ଘଟିଛି। ଏକେ ରେଳପଥରେ ଦୁଇଟି ରେଳଗାଡ଼ି ସାମ୍ନାସାମ୍ନି ଆସିଯାଇଥିବାରୁ ଧକ୍କା ଲାଗିଥିବା ସୂଚନା ମିଳିଛି।ସୂଚନା ଅନୁସାରେ, କୋଣାର୍କ ରେଳଗାଡ଼ି ଯାତ୍ରୀଙ୍କୁ ଛାଡ଼ିବା ପରେ ସଫେଇ ପାଇଁ ମଞ୍ଚେଶ୍ୱର ଆଡ଼କୁ ଯାଉଥିଲା।
ସେହି ସମୟରେ ସେହି ରେଳପଥରେ ପୂର୍ବରୁ ଥିବା ଚାରିଟି ଶୀତତାପ ନିୟନ୍ତ୍ରିତ ବଗି ନେଇ ଆସୁଥିବା ଅନ୍ୟ ଏକ ରେଳଗାଡ଼ି ସହ ଏହାର ଧକ୍କା ହୋଇଥିଲା। ଧକ୍କାରେ ଉଭୟ ରେଳଗାଡ଼ିର ସାମ୍ନା ଅଂଶ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି।ତେବେ ସୌଭାଗ୍ୟବଶତଃ ଦୁର୍ଘଟଣା ବେଳେ କୌଣସି ରେଳଗାଡ଼ିରେ ଯାତ୍ରୀ ନଥିଲେ। ଉଭୟ ଚାଳକ ମଧ୍ୟ ସୁରକ୍ଷିତ ଥିବାରୁ ବଡ଼ ଧରଣର ଅଘଟଣ ଟଳିଯାଇଛି।
ଘଟଣା ସମ୍ପର୍କରେ ଖବର ପାଇ ରେଳ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। କିପରି ଏକେ ରେଳପଥରେ ଦୁଇଟି ରେଳଗାଡ଼ି ଆସିଲା, ଏଥିରେ କାହାର ତ୍ରୁଟି ରହିଛି ଏବଂ ସୁରକ୍ଷା ବ୍ୟବସ୍ଥାରେ କୌଣସି ଅବହେଳା ହୋଇଛି କି ନାହିଁ, ସେନେଇ ଖୋଳତାଡ଼ ଚାଲିଛି। ପ୍ରାଥମିକ ତଦନ୍ତ ରିପୋର୍ଟ ଆସିବା ପରେ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ରେଳ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଘଟଣା ପରେ ରେଳ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣିଥରେ ପ୍ରଶ୍ନ ଉଠିଛି।

