Fri. Jun 5th, 2026

ନ୍ୟୁଜ ଡେକ୍ସ : ଆଜି ଦ୍ୱିତୀୟ ଥର ପାଇଁ ଆସାମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହିମନ୍ତ ବିଶ୍ୱଶର୍ମା। ନୂତନ ମନ୍ତ୍ରୀ ପରିଷଦର ସଦସ୍ୟମାନଙ୍କ ସହିତ ସେ ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ। ଆସାମ ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟର ବିପୁଳ ବିଜୟ ପରେ ଲଗାତାର ଦ୍ୱିତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ହିମନ୍ତ ବିଶ୍ୱଶର୍ମା।

୧୨୬ ସଦସ୍ୟ ବିଶିଷ୍ଟ ଆସାମ ବିଧାନସଭାରେ ଏନଡିଏ ମେଣ୍ଟ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ହାସଲ କରି ଲଗାତାର ତୃତୀୟ ଥର ପାଇଁ କ୍ଷମତାକୁ ଫେରିଛି। ନିର୍ବାଚନରେ ବିଜେପି ୮୨ଟି ଆସନ ଜିତି ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଛି। ଏହାର ସହଯୋଗୀ ଦଳ ଆସାମ ଗଣ ପରିଷଦ ଓ ବୋଡୋଲ୍ୟାଣ୍ଡ ପିପୁଲ୍ସ ଫ୍ରଣ୍ଟ ୧୦ଟି ଲେଖାଏଁ ଆସନ ଜିତିଥିବା ବେଳେ ଏନଡିଏର ମୋଟ ଆସନ ସଂଖ୍ୟା ୧୦୨ରେ ପହଞ୍ଚିଛି।ନିର୍ବାଚନରେ ଏହି ବିଶାଳ ବିଜୟ ପରେ ବିଜେପି ବିଧାୟକ ଦଳ ବୈଠକରେ ହିମନ୍ତ ବିଶ୍ୱଶର୍ମାଙ୍କୁ ପୁଣିଥରେ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିଲା।

କେନ୍ଦ୍ର ମନ୍ତ୍ରୀ ତଥା ଆସାମ ବିଜେପିର କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଜେପି ନଡ୍ଡା ସୂଚନା ଦେଇ କହିଛନ୍ତି ଯେ, ବିଜେପିର ଆଠ ଜଣ ବିଧାୟକ ହିମନ୍ତଙ୍କ ନାମକୁ ବିଧାୟକ ଦଳ ନେତା ପାଇଁ ପ୍ରସ୍ତାବ ଦେଇଥିଲେ। ପରେ ହିମନ୍ତ ବିଶ୍ୱଶର୍ମା ପୂର୍ବାହ୍ନ ୧୧ଟା ୧୫ ମିନିଟ ସମୟରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଭେଟି ରାଜ୍ୟରେ ଲଗାତାର ତୃତୀୟ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ।

ରାଜ୍ୟପାଳ ତାଙ୍କ ଦାବିକୁ ଗ୍ରହଣ କରିଥିବା ବେଳେ ଆଜି ନୂତନ ସରକାରର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ।ହିମନ୍ତ ବିଶ୍ୱଶର୍ମାଙ୍କ ନେତୃତ୍ୱରେ ଆସାମରେ ବିଜେପି ଲଗାତାର ସଫଳତା ହାସଲ କରୁଥିବାରୁ ଦଳୀୟ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଆଗାମୀ ଦିନରେ ନୂତନ ସରକାର ରାଜ୍ୟର ବିକାଶ, ନିଯୁକ୍ତି, ପୂର୍ବୋତ୍ତରର ସଂଯୋଗ ବ୍ୟବସ୍ଥା ଓ ଶାନ୍ତି ପ୍ରତିଷ୍ଠା ଦିଗରେ ଗୁରୁତ୍ୱ ଦେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *