ନ୍ୟୁଜ ଡେକ୍ସ : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଏବେ ଆଉ ଗୋଟିଏ ନୂଆ ଆକର୍ଷଣ ଯୋଗ ହୋଇଛି। ପର୍ଯ୍ୟଟକମାନେ ଏବେ ନୂଆ ପ୍ରଜାତିର ମାଙ୍କଡ ରିଙ୍ଗ୍ଟେଲ୍ଡ ଲେମୁରକୁ ନିକଟରୁ ଦେଖିପାରିବେ। ବୁଧବାର ଦିନ ଜନ୍ତୁ ଅଦଳବଦଳ ପ୍ରକ୍ରିୟାରେ ବିଶାଖାପାଟଣାସ୍ଥିତ ଇନ୍ଦିରା ଗାନ୍ଧି ଚିଡ଼ିଆଖାନାରୁ ୫ ପ୍ରଜାତିର ୧୧ଟି ଜୀବଜନ୍ତୁ ନନ୍ଦନକାନନକୁ ଆଣାଯାଇଛି।
ନନ୍ଦନକାନନକୁ ଆସିଥିବା ଏହି ଜୀବଜନ୍ତୁମାନଙ୍କ ମଧ୍ୟରେ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ବଳିଆ କୁକୁର, ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ରିଙ୍ଗ୍ଟେଲ୍ଡ ଲେମୁର, ଗୋଟିଏ ଅଣ୍ଡିରା କୁକାଟୁଆ, ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ନୀଳଗାଈ ସହ ଦୁଇଟି ଅଣ୍ଡିରା ଓ ଦୁଇଟି ମାଈ ବନେଟ ମାଙ୍କଡ଼ ରହିଛନ୍ତି। ଏହି ଜୀବଜନ୍ତୁମାନଙ୍କ ଆଗମନ ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଜୀବଜନ୍ତୁଙ୍କ ପ୍ରଜାତି ସଂଖ୍ୟା ୧୭୮କୁ ବୃଦ୍ଧି ପାଇଛି। ପ୍ରାଣୀ ଉଦ୍ୟାନରେ ଥିବା ଜୀବଜନ୍ତୁଙ୍କ ମଧ୍ୟରେ ରକ୍ତ ସମ୍ପର୍କ ପରିବର୍ତ୍ତନ କରି ସେମାନଙ୍କ ମୃତ୍ୟୁ ହାର କମାଇବା ଓ ସୁସ୍ଥ ପ୍ରଜନନ ବ୍ୟବସ୍ଥା ଜାରି ରଖିବା ପାଇଁ ବିଭିନ୍ନ ଚିଡ଼ିଆଖାନା ସହିତ ଏଭଳି ଜନ୍ତୁ ଅଦଳବଦଳ ପ୍ରକ୍ରିୟା କରାଯାଉଛି। ଏହି ଅଦଳବଦଳ ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଅନୁମତି ମିଳିଥିଲା।ଏହା ପୂର୍ବରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବିଶାଖାପାଟଣାର ଇନ୍ଦିରା ଗାନ୍ଧି ଚିଡ଼ିଆଖାନା ମଧ୍ୟରେ ଜନ୍ତୁ ଅଦଳବଦଳ କରାଯାଇଥିଲା।
ଗତ ୭ ତାରିଖରେ ନନ୍ଦନକାନନରୁ ୫ ପ୍ରଜାତିର ୧୫ଟି ଜୀବଜନ୍ତୁ ବିଶାଖାପାଟଣାକୁ ପଠାଯାଇଥିଲା। ସେମାନଙ୍କ ମଧ୍ୟରେ ଗୋଟିଏ ଅଣ୍ଡିରା ଓ ଦୁଇଟି ମାଈ ବାରାସିଙ୍ଗା, ଗୋଟିଏ ଅଣ୍ଡିରା ଓ ଦୁଇଟି ମାଈ ଚଉସିଂଙ୍ଗା, ଦୁଇଟି ଅଣ୍ଡିରା ଓ ଦୁଇଟି ମାଈ ଗୁରାଣ୍ଡି, ଗୋଟିଏ ଅଣ୍ଡିରା ଓ ଦୁଇଟି ମାଈ ଘଡ଼ିଆଳ କୁମ୍ଭୀର ଏବଂ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ ଆସାମୀ ମାଙ୍କଡ଼ ଥିଲେ।ଏଭଳି ଜନ୍ତୁ ଅଦଳବଦଳ ମାଧ୍ୟମରେ ଦୁଇଟି ଚିଡ଼ିଆଖାନାରେ ଜୀବଜନ୍ତୁଙ୍କ ସଂରକ୍ଷଣ ଓ ପ୍ରଜନନ ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଥିବା ବେଳେ ପର୍ଯ୍ୟଟକମାନଙ୍କ ପାଇଁ ମଧ୍ୟ ନୂତନ ପ୍ରଜାତିର ଜନ୍ତୁ ଦେଖିବାର ସୁଯୋଗ ସୃଷ୍ଟି ହେଉଛି।

