ନ୍ୟୁଜ ଡେକ୍ସ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ଅସମ୍ମାନ ଓ ପ୍ରୋଟୋକଲ ଉଲ୍ଲଂଘନ ଘଟଣାକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିରେ ସେ ଘଟଣାକୁ ନେଇ ଗଭୀର ଅସନ୍ତୋଷ ପ୍ରକାଶ କରିଥିବା ସହ ଏହା ସାରା ଦେଶର ଲୋକଙ୍କୁ ବ୍ୟଥିତ କରିଥିବା ଉଲ୍ଲେଖ କରିଛନ୍ତି।ଚିଠିରେ ମୋହନ ମାଝୀ କହିଛନ୍ତି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜଣେ ସମ୍ମାନିତ ଆଦିବାସୀ ମହିଳା ଏବଂ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅସୀନ।
ତାଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ଯେପରି ଅଶୋଭନୀୟ ବ୍ୟବହାର ଓ ପ୍ରୋଟୋକଲ ଉଲ୍ଲଂଘନ ଘଟିଥିବା ଖବର ସାମ୍ନାକୁ ଆସିଛି, ତାହା ସାଧାରଣ ଲୋକମାନଙ୍କ ମନରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି। ବିଶେଷ କରି ଅନ୍ତର୍ଜାତୀୟ ମହିଳା ଦିବସର ଠିକ୍ ପୂର୍ବରୁ ଏପରି ଘଟଣା ଘଟିଥିବାରୁ ଏହା ଆହୁରି ବିଚଳିତ କରିଛି ବୋଲି ସେ କହିଛନ୍ତି। ସେ ଆହୁରି ଉଲ୍ଲେଖ କରିଛନ୍ତି ଯେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଜନଜାତି ସମ୍ପ୍ରଦାୟ ସହ ଜଡିତ କାର୍ଯ୍ୟକ୍ରମର ସ୍ଥାନ ପରିବର୍ତ୍ତନ ହେବା ଦୁର୍ଭାଗ୍ୟଜନକ ଏବଂ ଏହା ଆମ ସାମ୍ବିଧାନିକ ମୂଲ୍ୟବୋଧ ସହିତ ସମନ୍ୱୟ ରଖୁନାହିଁ। ଏହି ଘଟଣା କେବଳ ରାଷ୍ଟ୍ରପତିଙ୍କୁ ଅସମ୍ମାନ କରିନାହିଁ, ବରଂ ଦେଶର ଲକ୍ଷାଧିକ ଆଦିବାସୀ, ପଛୁଆ ବର୍ଗ ଏବଂ ଦଳିତ ସମ୍ପ୍ରଦାୟର ଭାବନାକୁ ମଧ୍ୟ ଆଘାତ ପହଞ୍ଚାଇଛି ବୋଲି ସେ କହିଛନ୍ତି।ଚିଠିରେ ମୋହନ ମାଝୀ କହିଛନ୍ତି ଯେ ପଶ୍ଚିମବଙ୍ଗ ଦେଶର ଏକ ସମୃଦ୍ଧ ସଂସ୍କୃତି ଓ ସଭ୍ୟତାର ରାଜ୍ୟ, ଯାହା ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ପ୍ରତିଷ୍ଠାନ ପ୍ରତି ସମ୍ମାନ ପାଇଁ ଜଣାଶୁଣା। କିନ୍ତୁ ଏପରି ଘଟଣା ଘଟିବା ଫଳରେ ରାଜ୍ୟର ପ୍ରତିଛବି ଉପରେ ମଧ୍ୟ ପ୍ରଭାବ ପଡ଼ିଛି।
ସାନ୍ତାଳ ସମ୍ପ୍ରଦାୟ ଭାରତର ଏକ ବଡ଼ ଜନଜାତି ଯେଉଁମାନେ ଦେଶର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଆସୁଛନ୍ତି। ମୁଁ ନିଜେ ଏହି ସମ୍ପ୍ରଦାୟର ସଦସ୍ୟ ହୋଇଥିବାରୁ ଏହି ଘଟଣା ମୋତେ ଗଭୀର ଭାବରେ ବ୍ୟଥିତ କରିଛି ବୋଲି ସେ ଲେଖିଛନ୍ତି। ଚିଠିର ଶେଷରେ ମୋହନ ମାଝୀ ମମତା ବାନାର୍ଜୀଙ୍କୁ ଏହି ବିଷୟରେ ଗମ୍ଭୀର ଭାବରେ ଚିନ୍ତନ କରିବାକୁ ଅନୁରୋଧ କରିଥିବା ସହ ରାଷ୍ଟ୍ରପତି ଓ ଦେଶର ଜନସାଧାରଣଙ୍କୁ ଅନୁଶୋଚନା ଜଣାଇବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ଏପରି ଆଭିମୁଖ୍ୟ ଗଣତାନ୍ତ୍ରିକ ମାନଦଣ୍ଡ ଏବଂ ସାମ୍ବିଧାନିକ ପଦବୀର ମର୍ଯ୍ୟାଦା ପ୍ରତି ଆମ ସମସ୍ତଙ୍କ ମିଳିତ ପ୍ରତିବଦ୍ଧତାକୁ ପୁନର୍ବାର ଦୃଢ଼ କରିବାରେ ସାହାଯ୍ୟ କରିବ।

