ନ୍ୟୁଜ ଡେକ୍ସ : ରାଜ୍ୟର ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଏବଂ ସୁବିଧାଜନକ କରିବା ଲକ୍ଷ୍ୟରେ ଚାଉଳ ATM ବ୍ୟବସ୍ଥାକୁ ଆଗକୁ ବଢ଼ାଯାଉଛି। ଏବେ ରାଜ୍ୟର ଆଉ ଚାରିଟି ଜିଲ୍ଲାରେ ଏହି ଆଧୁନିକ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଏନେଇ ବିଧାନସଭାରେ ବିଧାୟକ ଗୌତମ ବୁଦ୍ଧ ଦାସଙ୍କ ପ୍ରଶ୍ନରେ ଯୋଗାଣ ମନ୍ତ୍ରୀ ଲିଖିତ ଭାବେ ସୂଚନା ଦେଇଛନ୍ତି।ମିଳିଥିବା ସୂଚନା ଅନୁସାରେ ଝାରସୁଗୁଡ଼ା, ନବରଙ୍ଗପୁର, କେନ୍ଦୁଝର ଏବଂ ଢେଙ୍କାନାଳ ଜିଲ୍ଲାରେ ନୂତନ ଭାବେ ଚାଉଳ ATM ସ୍ଥାପନ କରାଯିବ।
ଏହି ବ୍ୟବସ୍ଥା ଆରମ୍ଭ ହେଲେ ରାସନ କାର୍ଡଧାରୀ ଲୋକମାନେ ଆଧୁନିକ ମେସିନ୍ ମାଧ୍ୟମରେ ସହଜ ଓ ଦ୍ରୁତ ଭାବେ ନିଜ ଅଧିକାର ଥିବା ଚାଉଳ ଉଠାଇପାରିବେ। ଏହା ଫଳରେ ଦୀର୍ଘ ସମୟ ଧରି ଲାଇନ୍ରେ ଦଣ୍ଡାୟମାନ ରହିବାର ସମସ୍ୟା କମିବ ଏବଂ ବଣ୍ଟନ ପ୍ରକ୍ରିୟା ଆହୁରି ପାରଦର୍ଶୀ ହେବ।ରାଜ୍ୟର ପ୍ରଥମ ଚାଉଳ ATM ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ଖୋଲାଯାଇଥିଲା। ଏହି ପଦକ୍ଷେପ ଆରମ୍ଭ ହେବା ପରେ ଲୋକମାନଙ୍କ ମଧ୍ୟରେ ଭଲ ପ୍ରତିକ୍ରିୟା ଦେଖାଯାଇଛି। ୨୦୨୪ ମସିହାର ଜୁଲାଇ ମାସରୁ ଆରମ୍ଭ କରି ଏପର୍ଯ୍ୟନ୍ତ ୨୦ ହଜାର ୨୧୭ ଜଣ ଲାଭାନ୍ବିତ ଲୋକ ଏହି ATM ମାଧ୍ୟମରେ ଚାଉଳ ଉଠାଇଛନ୍ତି। ସରକାରୀ ତଥ୍ୟ ଅନୁସାରେ ଏହି ସମୟ ମଧ୍ୟରେ ମୋଟ ୩ ହଜାର ୮ ଶହ ୫ କୁଇଣ୍ଟାଲ ଚାଉଳ ବଣ୍ଟନ କରାଯାଇଛି। ଚାଉଳ ATM ବ୍ୟବସ୍ଥା ଆସିବା ସହିତ ରାସନ ବଣ୍ଟନ ପ୍ରକ୍ରିୟା ଡିଜିଟାଲ ଏବଂ ସ୍ମାର୍ଟ ହୋଇଯାଇଛି।
ଲୋକମାନେ ନିଜର ରାସନ କାର୍ଡ ବା ଆଧାର ଭିତ୍ତିକ ସତ୍ୟାପନ ପରେ ସହଜରେ ମେସିନ୍ ଠାରୁ ଚାଉଳ ଉଠାଇପାରୁଛନ୍ତି। ଏହା ଫଳରେ ବଣ୍ଟନ ପ୍ରକ୍ରିୟାରେ ଅନିୟମିତତା ହ୍ରାସ ପାଇବା ସହ ସମୟ ସଞ୍ଚୟ ମଧ୍ୟ ହେଉଛି।ସରକାରଙ୍କ ଏହି ପଦକ୍ଷେପ ରାଜ୍ୟର ଗରିବ ଓ ଆବଶ୍ୟକତାମନ୍ଦ ଲୋକମାନଙ୍କୁ ସହଜ ଭାବେ ଖାଦ୍ୟ ସାମଗ୍ରୀ ପହଞ୍ଚାଇବାରେ ବଡ଼ ଭୂମିକା ନେବ ବୋଲି କୁହାଯାଉଛି। ଆଗାମୀ ଦିନରେ ଏହି ବ୍ୟବସ୍ଥାକୁ ରାଜ୍ୟର ଆହୁରି ଅନେକ ଜିଲ୍ଲାରେ ବିସ୍ତାର କରିବା ପାଇଁ ସରକାର ପଦକ୍ଷେପ ନେଇପାରନ୍ତି ବୋଲି ସୂଚନା ମିଳିଛି।

