Thu. Apr 16th, 2026

ନ୍ୟୁଜ ଡେକ୍ସ : ଓଡ଼ିଶାରେ ପଣା ସଂକ୍ରାନ୍ତି ବା ମହାବିଷୁବ ସଂକ୍ରାନ୍ତିକୁ ଓଡ଼ିଆ ନବବର୍ଷ ଭାବେ ବଡ଼ ଧୂମଧାମରେ ପାଳନ କରାଯାଉଛି। ଏହି ପବିତ୍ର ଦିନଠାରୁ ବସନ୍ତ ଋତୁର ଶେଷ ଓ ଗ୍ରୀଷ୍ମ ଋତୁର ଆରମ୍ଭ ହୋଇଥାଏ। ପାରମ୍ପରିକ ରୀତିନୀତି ଅନୁଯାୟୀ ଘରେ ଘରେ ଛୋଟ ମାଠିଆରେ ପଣା ରଖି ଚଉଁରା ମୂଳରେ ବାନ୍ଧାଯାଉଛି, ଯାହାର ଛୋଟ କଣାରୁ ଧୀରେ ଧୀରେ ପାଣି ଝରିବା ବର୍ଷାର ପ୍ରତୀକ ଭାବେ ଦେଖାଯାଏ।

ଏହି ପ୍ରଥାକୁ ବସୁନ୍ଧରା ଠେକି ବୋଲି କୁହାଯାଏ।ଏହି ଅବସରରେ ରାଜ୍ୟର ବିଭିନ୍ନ ଠାକୁରାଣୀ ମନ୍ଦିରମାନଙ୍କରେ ଝାମୁ ଯାତ ଓ ବିଭିନ୍ନ ପୂଜାପାଠ ଅନୁଷ୍ଠିତ ହେଉଛି। କଟକର ଚଣ୍ଡୀ ମନ୍ଦିର, ଯାଜପୁରର ବିରଜା ମନ୍ଦିର, ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ଓ ଗଞ୍ଜାମର ତାରାତାରିଣୀ ମନ୍ଦିରରେ ଭକ୍ତମାନଙ୍କର ଭିଡ଼ ଲକ୍ଷ୍ୟ କରାଯାଉଛି। ଉତ୍ତର ଓଡ଼ିଶାରେ ଏହାକୁ ଚଡ଼କ ପର୍ବ ଭାବେ ପାଳନ କରାଯାଉଥିବାବେଳେ ଦକ୍ଷିଣ ଓଡ଼ିଶାରେ ଦଣ୍ଡନାଟ ଉତ୍ସବ ଆୟୋଜିତ ହେଉଛି। ମହାବିଷୁବ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବେ ଗ୍ରହଣ କରାଯାଏ। ଏହି ଦିନ ଓଡ଼ିଆ ପରିବାରମାନେ ଦେବଦେବୀଙ୍କୁ ବିଶେଷ ପୂଜା, ଭୋଗ ଓ ହୋମ ଅର୍ପଣ କରନ୍ତି।

ଏହା ସହିତ ଏହି ଦିନକୁ ପ୍ରଭୁ ହନୁମାନଙ୍କ ଜନ୍ମଦିନ ଭାବେ ମଧ୍ୟ ପାଳନ କରାଯାଉଥିବାରୁ ହନୁମାନ ଜୟନ୍ତୀ ଭାବେ ମଧ୍ୟ ଏହାର ବିଶେଷ ମହତ୍ତ୍ୱ ରହିଛି।ପଣା ସଂକ୍ରାନ୍ତି ଅବସରରେ ପଡ଼ୋଶୀ, ବନ୍ଧୁବାନ୍ଧବ ଓ ବ୍ରାହ୍ମଣମାନଙ୍କୁ ପଣା ବଣ୍ଟନ କରାଯାଉଥିବାରୁ ଏହି ଦିନକୁ ପଣା ସଂକ୍ରାନ୍ତି ବୋଲି କୁହାଯାଏ। ଏହା ସହିତ ଏହି ସଂକ୍ରାନ୍ତି ପରଠାରୁ ବୃକ୍ଷ ଓ ଜୀବଜଗତକୁ ଜଳ ଦାନ କରାଯାଉଥିବାରୁ ଏହାକୁ ଜଳ ସଂକ୍ରାନ୍ତି ଭାବେ ମଧ୍ୟ ପରିଚିତ।

Leave a Reply

Your email address will not be published. Required fields are marked *