Thu. Apr 16th, 2026

ନ୍ୟୁଜ ଡେକ୍ସ : ଆଜି ଡ଼. ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମଦିବସକୁ ସମାନତା ଦିବସ ଓ ଜ୍ଞାନ ଦିବସ ଭାବେ ପାଳନ କରାଯାଉଛି। ବାବା ସାହେବ ଆମ୍ବେଦକର ଭାବେ ପରିଚିତ ସେ ଜଣେ ପ୍ରସିଦ୍ଧ ଅର୍ଥଶାସ୍ତ୍ରୀ, ରାଜନୀତିଜ୍ଞ ଓ ସମାଜ ସୁଧାରକ ଥିଲେ। ୧୮୮୯ ମସିହା ଏପ୍ରିଲ ୧୪ରେ ମଧ୍ୟପ୍ରଦେଶର ମହୁ ଅଞ୍ଚଳରେ ଏକ ମରାଠୀ ପରିବାରରେ ତାଙ୍କ ଜନ୍ମ ହୋଇଥିଲା। ପିତା ମାଲୋଜି ସକପାଳ ଓ ମା’ ଭୀମାବାଇଙ୍କ ୧୪ତମ ସନ୍ତାନ ଥିଲେ ସେ।

ଦଳିତ ପରିବାରରେ ଜନ୍ମ ହେତୁ ପିଲାବେଳୁ ସେ ସାମାଜିକ ଭେଦଭାବ ଓ ଅନ୍ୟାୟର ସମ୍ମୁଖୀନ ହୋଇଥିଲେ।ଶିକ୍ଷାରେ ଅତ୍ୟନ୍ତ ମେଧାବୀ ଥିବା ଆମ୍ବେଦକର ୧୯୦୭ରେ ମାଟ୍ରିକ୍ ପାସ୍ କରି ୧୯୦୮ରେ ଏଲଫିଷ୍ଟନ୍ କଲେଜରେ ପ୍ରବେଶ କରିଥିଲେ ଓ ସେଠାରେ ପ୍ରଥମ ଦଳିତ ଛାତ୍ର ଭାବେ ଇତିହାସ ଗଢ଼ିଥିଲେ। ପରେ ବମ୍ବେ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତି ଓ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ କରି ବିଦେଶରୁ ମଧ୍ୟ ଅନେକ ଉଚ୍ଚ ଶିକ୍ଷା ଅର୍ଜନ କରିଥିଲେ।ଦେଶ ସ୍ୱାଧୀନ ହେବା ପରେ ୧୯୪୭ ମସିହାରେ ସେ ସମ୍ବିଧାନ ରଚନା ସମିତିର ଅଧ୍ୟକ୍ଷ ହୋଇଥିଲେ। ଦୀର୍ଘ ପ୍ରୟାସ ପରେ ୧୯୫୦ ଜାନୁଆରୀ ୨୬ରେ ଭାରତୀୟ ସମ୍ବିଧାନ ଲାଗୁ ହୋଇଥିଲା।

ସ୍ୱାଧୀନ ଭାରତର ପ୍ରଥମ ଆଇନମନ୍ତ୍ରୀ ଭାବେ ମଧ୍ୟ ସେ କାର୍ଯ୍ୟଭାର ନିବାହ କରିଥିଲେ। ସମାଜରେ ଚାଲିଥିବା ଛୁଆଁଅଛୁଆଁ ପ୍ରଥା ଓ ଜାତିବାଦ ବିରୋଧରେ ସେ ସାରା ଜୀବନ ଲଢ଼େଇ କରିଥିଲେ। ଗରିବ, ଦଳିତ ଓ ଶୋଷିତ ଲୋକଙ୍କ ଅଧିକାର ପାଇଁ ତାଙ୍କ ଅବଦାନ ଅସୀମ ଓ ଅମୂଲ୍ୟ।ତାଙ୍କ ଜନ୍ମଦିବସରେ ଦେଶର ବିଭିନ୍ନ ସ୍ଥାନରେ ସ୍ମୃତି ସଭା, ଶ୍ରଦ୍ଧାଞ୍ଜଳି କାର୍ୟକ୍ରମ ଓ ସଚେତନତା ଅଭିଯାନ ଆୟୋଜିତ ହେଉଛି। ଆମ୍ବେଦକରଙ୍କ ଚିନ୍ତାଧାରା ଆଜିବି ସମାନତା, ନ୍ୟାୟ ଓ ଶିକ୍ଷାର ପଥକୁ ପ୍ରଦର୍ଶନ କରୁଛି।

Leave a Reply

Your email address will not be published. Required fields are marked *