Thu. Jun 4th, 2026

ନ୍ୟୁଜ ଡେକ୍ସ : ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ନିର୍ଦ୍ଦେଶକ୍ରମେ ପବ୍ଲିକ ଟ୍ରାନ୍ସପୋର୍ଟ ସେବାର ସୁଚାରୁ ପରିଚାଳନା ପାଇଁ ବସ୍ ଓ ଟ୍ରକ୍‌ ମାଲିକ ସଙ୍ଘ ସହ ଏସଟିଏର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବସ୍ ଓ ଟ୍ରକ୍ ମାଲିକମାନେ ପର୍ଯ୍ୟାପ୍ତ ଇନ୍ଧନ ମିଳୁନଥିବା ଅଭିଯୋଗ କରିଥିଲେ।ଏହି ଅଭିଯୋଗକୁ ଆଧାର କରି ପବ୍ଲିକ ଟ୍ରାନ୍ସପୋର୍ଟ ସେବାରେ କୌଣସି ବିଘ୍ନ ନ ଉପୁଜେ ସେଥିପାଇଁ ବୈଠକରେ ଅନେକ ସ୍ୱଳ୍ପକାଳୀନ ନିଷ୍ପତ୍ତି ନିଆଯାଇଛି।

ପ୍ରତ୍ୟେକ ଜିଲ୍ଲାରେ ବସ୍ ଓ ଟ୍ରକ୍ ପାଇଁ ସ୍ୱତନ୍ତ୍ର ପେଟ୍ରୋଲ ପମ୍ପ ସଂରକ୍ଷିତ ରଖାଯିବ। ଏହା ସହ ଗାଡ଼ି ମାଲିକମାନେ ପୂର୍ବରୁ ବ୍ୟବହାର କରୁଥିବା ତେଲ ଟାଙ୍କିଗୁଡ଼ିକର ଏକ ସୂଚୀ ପ୍ରଦାନ କରିବେ।ଚିହ୍ନଟ ହୋଇଥିବା ସେହି ନିର୍ଦ୍ଦିଷ୍ଟ ପେଟ୍ରୋଲ ପମ୍ପଗୁଡ଼ିକରେ ସର୍ବଦା ଆବଶ୍ୟକୀୟ ଇନ୍ଧନ ମହଜୁଦ ରଖାଯିବ ବୋଲି ନିଷ୍ପତ୍ତି ହୋଇଛି। ଏହା ସହିତ ଟ୍ରକ୍ ଚଳାଚଳକୁ ସୁବିଧାଜନକ କରିବା ପାଇଁ ଜାତୀୟ ରାଜପଥ କଡ଼ରେ ପ୍ରତ୍ୟେକ ଜିଲ୍ଲାରେ କିଛି ପେଟ୍ରୋଲ ପମ୍ପ ଚିହ୍ନଟ କରାଯିବ।ଗାଡ଼ିଗୁଡ଼ିକର ଦୈନିକ ଆବଶ୍ୟକତା ଅନୁଯାୟୀ ସେହି ନିର୍ଦ୍ଦିଷ୍ଟ ପମ୍ପଗୁଡ଼ିକୁ ତୈଳ ଯୋଗାଣ ପ୍ରକ୍ରିୟାକୁ ସରକାର ଓ ତୈଳ କମ୍ପାନୀ ସିଧାସଳଖ ଭାବେ ମନିଟରିଂ କରିବେ ବୋଲି ସୂଚନା ମିଳିଛି।

ଇନ୍ଧନ ସମ୍ପର୍କିତ କୌଣସି ଗୁଜବକୁ ବିଶ୍ୱାସ ନ କରିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରାଯାଇଛି। ପବ୍ଲିକ ଟ୍ରାନ୍ସପୋର୍ଟ ସେବା ସ୍ୱାଭାବିକ ଭାବେ ଚାଲିବ ବୋଲି ଆଶ୍ୱାସନା ଦିଆଯାଇଛି। ବୈଠକରେ ପରିବହନ ବିଭାଗର ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *