Mon. Apr 20th, 2026

ନ୍ୟୁଜ ଡେକ୍ସ : ହାଇକୋର୍ଟର ଗୁରୁତ୍ୱପୂର୍ଣ୍ଣ ରାୟଜଣେ ପ୍ରାପ୍ତବୟସ୍କ ଯୁବତୀ ନିଜ ଇଚ୍ଛାରେ ଯେଉଁଠିବି ରହିପାରିବେ ଓ ନିଜ ଜୀବନ ସମ୍ପର୍କରେ ସ୍ୱାଧୀନ ଭାବେ ନିଷ୍ପତ୍ତି ନେଇପାରିବେ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି। ଯଦି ଜଣେ ପ୍ରାପ୍ତବୟସ୍କ ଝିଅ ସ୍ୱାଧୀନ ଭାବେ ବଞ୍ଚିବାକୁ ଚାହାଁନ୍ତି, ତେବେ ତାଙ୍କୁ ବାପା-ମା’ କିମ୍ବା ଶ୍ୱଶୁରଘରରେ ରହିବାକୁ ବାଧ୍ୟ କରିବା ପାଇଁ ଆଇନରେ କୌଣସି ବ୍ୟବସ୍ଥା ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଓ ଜଷ୍ଟିସ୍ ଏମ.ଏସ. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହି ମତ ପ୍ରକାଶ କରିଛନ୍ତି। ରାୟରେ କହାଯାଇଛି ଯେ ଜଣେ ପ୍ରାପ୍ତବୟସ୍କ ଯୁବତୀ ନିଜ ଜୀବନ ସଂକ୍ରାନ୍ତରେ ସ୍ୱୟଂ ନିଷ୍ପତ୍ତି ନେବାର ଅଧିକାର ରଖନ୍ତି।ଆବେଦନ ଅନୁଯାୟୀ, ଆବେଦନକାରୀଙ୍କ ବିବାହିତା ଝିଅ ନିଜ ଇଚ୍ଛାରେ ଶ୍ୱଶୁରଘର ଛାଡ଼ି ଦୂର ଏକ ସ୍ଥାନରେ ରହୁଥିବା ଜଣାପଡ଼ିଥିଲା। ତାଙ୍କ ବୈବାହିକ ବିବାଦ ମାମଲା ବର୍ତ୍ତମାନ ସିଭିଲ କୋର୍ଟରେ ବିଚାରାଧୀନ ଅଛି। ୨୦୨୪ ମସିହାରେ ଯୁବତୀ ଥାନାରେ ହାଜର ହୋଇ ନିଜ ଶ୍ୱଶୁରଘର ଓ ବାପା-ମା’ଙ୍କ ସହିତ ରହିବାକୁ ଇଚ୍ଛୁକ ନୁହେଁ ବୋଲି ପୋଲିସକୁ କହିଥିଲେ। ସେ ଏକାକୀ ରହୁଛନ୍ତି ଓ ସ୍ୱାବଲମ୍ବୀ ବୋଲି ମଧ୍ୟ ଜଣାଇଥିଲେ।

ତଥାପି ଦୀର୍ଘ ସମୟ ଧରି ଝିଅଙ୍କ ସମ୍ପର୍କରେ ସ୍ପଷ୍ଟ ଖବର ନ ମିଳିବାରୁ ତାଙ୍କ ମା’ ହାଇକୋର୍ଟରେ ହେବିୟସ କର୍ପସ ପିଟିସନ ଦାଖଲ କରିଥିଲେ।ଶୁଣାଣି ସମୟରେ କୋର୍ଟ କହିଛନ୍ତି ଯେ ଏହି ମାମଲାରେ ଯୁବତୀଙ୍କୁ କେହି ବେଆଇନ ଭାବେ ଅଟକ ରଖିନାହାନ୍ତି। ସେହିପରି ସ୍ଥିତିରେ ତାଙ୍କୁ ଖୋଜିବା କିମ୍ବା ତାଙ୍କ ସମ୍ପର୍କରେ ତଥ୍ୟ ଜାଣିବା ପାଇଁ ହେବିୟସ କର୍ପସ ପିଟିସନ ବ୍ୟବହାର କରାଯାଇ ପାରିବ ନାହିଁ। ଏହା ଦର୍ଶାଇ ହାଇକୋର୍ଟ ପିଟିସନକୁ ଖାରଜ କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *