ନ୍ୟୁଜ ଡେକ୍ସ : ବାଂଲାଦେଶର ଢାକା ନିକଟବର୍ତ୍ତୀ ସାଭର ଅଞ୍ଚଳରେ ନବଗଠିତ ନ୍ୟାସନାଲ ସିଟିଜେନ ପାର୍ଟି (ଏନସିପି)ର ଏକ ରାଲି ସମୟରେ ବୋମା ବିସ୍ଫୋରଣ ଘଟି ୩ ଜଣ ଆହତ ହୋଇଛନ୍ତି। ଏହି ରାଲିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ଛାତ୍ରମାନେ ନେତୃତ୍ୱ ନେଇଥିଲେ।
ଏନସିପି ପକ୍ଷରୁ ସୋମବାର ରାତିରେ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ, ରାଲି ଚାଲିଥିବା ସମୟରେ ଆତଙ୍କବାଦୀମାନେ ବୋମା ବିସ୍ଫୋରଣ କରିଥିଲେ। ସୋମବାର ରାତି ପ୍ରାୟ ୯ଟା ୪୫ ମିନିଟରେ ସାଭର ଥାନା ଷ୍ଟାଣ୍ଡ ଇଦଗାହ ଗ୍ରାଉଣ୍ଡରେ ଏହି ବିସ୍ଫୋରଣ ଘଟିଥିବା ଦଳ ପକ୍ଷରୁ ଦାବି କରାଯାଇଛି।ସୂଚନାଯୋଗ୍ୟ, ଗତ ଜୁଲାଇରେ ଶେଖ ହାସିନାଙ୍କ ବିରୋଧରେ ହୋଇଥିବା ଛାତ୍ର ଆନ୍ଦୋଳନର ଦ୍ୱିତୀୟ ବାର୍ଷିକୀ ପାଳନ ଅବସରରେ ଏନସିପି ଦେଶବ୍ୟାପୀ ଶୋଭାଯାତ୍ରାର ଘୋଷଣା କରିଥିଲା। ସେହି କାର୍ଯ୍ୟକ୍ରମର ଏକ ଅଂଶ ଭାବେ ସାଭରରେ ଏହି ରାଲିର ଆୟୋଜନ କରାଯାଇଥିଲା।
ଅନ୍ୟପକ୍ଷରେ, ଚଳିତ ବର୍ଷ ଏପ୍ରିଲ ୧୭ରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସ୍ପଷ୍ଟ କରିଥିଲା ଯେ, ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟର୍ପଣ ସମ୍ପର୍କିତ ଆନୁଷ୍ଠାନିକ ଅନୁରୋଧକୁ ପ୍ରଚଳିତ ଆଇନଗତ ଓ ନ୍ୟାୟିକ ପ୍ରକ୍ରିୟା ଅନୁଯାୟୀ ସମୀକ୍ଷା କରାଯାଉଛି। ବାଂଲାଦେଶର ଏହି ବିସ୍ଫୋରଣ ଘଟଣା ପରେ ସେଠାକାର ରାଜନୈତିକ ପରିସ୍ଥିତିକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି।

