ନ୍ୟୁଜ ଡେକ୍ସ: ମରାଠୀ ବାଘୁଣୀ ଜିନତ ଗାଏବ। ଗତକାଲିଠାରୁ ବାଘୁଣୀର ମିଳୁନି ସଠିକ୍ ପତ୍ତା। ବାଘୁଣୀ ଜିନତକୁ ଓଡ଼ିଶା ଛାଡ଼ି ୨ ସପ୍ତାହ ପୂରିଛି। ଶିମିଳିପାଳରୁ ଭାୟା ଝାଡ଼ଖଣ୍ଡ ଦେଇ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାର ବାନ୍ଦ୍ୱାନ୍ ଜଙ୍ଗଲରେ ଘୂରି ବୁଲୁଥିଲା ବାଘୁଣ । କିନ୍ତୁ ଗତକାଲିଠାରୁ ତା ସଠିକ୍ ଠିକଣା ମିଳିପାରୁ ନାହିଁ। ଏହାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗର ବନ ବିଭାଗ ଟିମ୍ ପାଇଁ ଚିନ୍ତା ବଢ଼ାଇଛି।
ବନ ବିଭାଗ ସୂତ୍ରରୁ ପ୍ରକାଶ, ବାଘୁଣୀ ବେକରେ ଲାଗିଥିବା ରେଡିଓ କଲାର ଘଣ୍ଟାକୁ ଥରଟିଏ ଟ୍ରାକିଂ ସିଗନାଲ୍ ଛାଡି଼ଥାଏ । ତାକୁ ପିଛା କରୁଥିବା ବନ ବିଭାଗ ଟିମ୍ ଏହି ସିଗନାଲ୍ରୁ ତା’ ଅବସ୍ଥିତି ଜାଣିଥାନ୍ତି । ସୋମବାର ବିଳମ୍ବିତ ରାତିରେ ରେଡିଓ କଲାରରୁ ଥରଟିଏ ସିଗ୍ନାଲ ମିଳିଥିଲା । ଠିକଣା ଥିଲା, ପୁରୁଲିଆ ବନଖଣ୍ଡର ରାଇକା ପାହାଡ଼ । ତା’ପରେ କିନ୍ତୁ ରେଡିଓ କଲାର ଆଉ ସିଗ୍ନାଲ ଛାଡି଼ଲାନି। ମଙ୍ଗଳବାର ସକାଳୁ ବାଘୁଣୀକୁ ଟ୍ରାକିଂ କରୁଥିବା ୩ଟି ଟିମ୍ର ଚିନ୍ତା ବଢ଼ିଥିଲା । ବାନ୍ଦ୍ୱାନ ଜଙ୍ଗଲ ନିକଟସ୍ଥ ଏକ ଗାଁରେ ଡେରା ପକାଇଥିବା ଟିମ୍ରୁ ୧୦ଜଣ କର୍ମଚାରୀ ୨ଟି ଭ୍ୟାନ୍ରେ ଜିନତ୍କୁ ଖୋଜିବାକୁ ବାହାରିଥିଲେ । ଜିନତ୍କୁ ଟ୍ରାକ୍ କରୁଥିବା ଜଣେ ବନ କର୍ମଚାରୀ କହିଛନ୍ତି, ପୁରୁଲିଆ ବାନ୍ଦ୍ୱାନ୍ର ଘଞ୍ଚ ଜଙ୍ଗଲରେ ଥିବା ରାଇକା ପାହାଡ଼ରେ ଅନେକ ପୁରୁଣା ଗୁମ୍ଫା ରହିଛି ।
ଯଦି ବାଘୁଣୀଟି କୌଣସି ଗୁମ୍ଫାରେ ପଶିଯାଇଥିବ, ତା’ ଭିତରୁ ରେଡିଓ କଲାର ନେଟ୍ୱର୍କ ମିଳୁନଥିବ । ସେଥିପାଇଁ ତା’ ଅବସ୍ଥିତି ନେଇ ସଠିକ୍ ଠିକଣା ମିଳୁନି । ସେଠାକାର ଜଙ୍ଗଲ ଇଲାକାରେ ଜିନତ୍ ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ଖାଦ୍ୟ ଅଛି । ତେଣୁ ଜଙ୍ଗଲ ଛାଡି଼ବାକୁ ମନ ବଳାଉନି । ଅନ୍ୟପଟେ ଜିନତ୍ ଫେରିବା ନେଇ ଆଶାବାଦୀ ଅଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ କହିଛନ୍ତି । ସେ କହିଛନ୍ତି, ଶିମିଳିପାଳ ପରିବେଶ ସହ ଖାପଖୁଆଇ ପାରୁନି ଜିନତ୍ ।
ନିଜ ମନ ମୁତାବକ ପରିବେଶ ଖୋଜୁଛି । ସେଥିପାଇଁ ଏ ଜଙ୍ଗଲରୁ ସେ ଜଙ୍ଗଲକୁ ଘୁରିବୁଲୁଛି । ବାଘୁଣୀଟି ଯେହେତୁ ଅଲଗା ପରିବେଶରୁ ଆସିଛି, ଏଠାକାର ପରିବେଶ ସହ ଖାପଖୁଇବାକୁ ଟିକେ ସମୟ ଲାଗୁଛି । ଶିମିଳିପାଳ ଜଳବାୟୁ ବେଶ୍ ଭଲ । କିଛି ସମୟ ରହଣି ପରେ ବାଘୁଣୀ ନିଶ୍ଚୟ ଏଠାକୁ ଫେରିବ । ଆମର ଜିପିଏସ୍ ଟ୍ରାକିଂ ଚାଲିଛି, ନିରନ୍ତର ମନିଟରିଂ କରାଯାଉଛି । ବିଶେଷଜ୍ଞମାନେ ଯାହା ପରାମର୍ଶ ଦେବେ, ସେହି ଅନୁସାରେ ପଦକ୍ଷେପ ନିଆଯିବ ।

