Fri. Apr 17th, 2026

ନ୍ୟୁଜ ଡେକ୍ସ : ଅତି ଛୋଟ ହେଲେ ମଧ୍ୟ ଘରଚଟିଆ ପକ୍ଷୀ ତାର ଚିରିଂ ଚିରିଂ ସ୍ୱରରେ ପରିବେଶକୁ ଆନନ୍ଦମୟ କରିଥାଏ। ଗ୍ରାମାଞ୍ଚଳରେ ସକାଳ ସମୟରେ ଏହି ସ୍ୱର ପ୍ରକୃତିର ସଙ୍ଗୀତ ଭାବେ ଅନୁଭବ କରାଯାଏ। ଯେଉଁଠାରେ ଘରଚଟିଆ ଥାଏ, ସେଠାର ପରିବେଶ ସାଧାରଣତଃ ସୁସ୍ଥ ଓ ସନ୍ତୁଳିତ ରହିଥାଏ।ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ଭାବେ ପାଳନ କରାଯାଏ।

୨୦୧୦ ମସିହାରେ ନେଚର ଫରଏଭର ସୋସାଇଟି ଅଫ୍ ଇଣ୍ଡିଆ ଏବଂ ଇକୋ-ସିସ୍ ଆକ୍ସନ ଫାଉଣ୍ଡେସନ୍‌ର ପ୍ରୟାସରେ ଏହି ଦିବସର ଆରମ୍ଭ ହୋଇଥିଲା। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଘରଚଟିଆ ପକ୍ଷୀର ସୁରକ୍ଷା ପ୍ରତି ଲୋକମାନଙ୍କୁ ସଚେତନ କରିବା।ଏକଦା ଘରଚଟିଆ ପ୍ରାୟ ପ୍ରତ୍ୟେକ ଘର ଅଗଣାରେ ଦେଖିବାକୁ ମିଳୁଥିଲେ। କିନ୍ତୁ ଆଧୁନିକୀକରଣ, କଂକ୍ରିଟ ଘର ବୃଦ୍ଧି, ମୋବାଇଲ ଟାୱାରର ବିକିରଣ ଓ ଖାଦ୍ୟ ଅଭାବ ଯୋଗୁଁ ଏହାର ସଂଖ୍ୟା ଦ୍ରୁତ ଭାବେ କମିଯାଇଛି। କୃଷିକ୍ଷେତ୍ରରେ ଅଧିକ କୀଟନାଶକ ବ୍ୟବହାର ହେବାରୁ ଏହି ପକ୍ଷୀମାନଙ୍କର ଖାଦ୍ୟ ଶୃଙ୍ଖଳ ମଧ୍ୟ ପ୍ରଭାବିତ ହେଉଛି। ଘରଚଟିଆ ମୁଖ୍ୟତଃ ଚାଳ ଘରରେ ବସୋବାସ କରିଥାଏ।

ବାତ୍ୟା ଓ ପ୍ରାକୃତିକ ବିପର୍ଯ୍ୟୟରେ ଏପରି ଘର ହ୍ରାସ ପାଇବା ସହିତ ସେମାନେ ସହର ଦିଗକୁ ମୁହାଁ ଦେଇଛନ୍ତି। ସହରରେ ମଧ୍ୟ ସେମାନେ ପରିତ୍ୟକ୍ତ ଓ ସୁରକ୍ଷିତ ସ୍ଥାନରେ ବସା ବନାଇ ରହୁଛନ୍ତି।ଧାନ, ଚାଉଳ, ଗହମ, ଜିଆ ଏବଂ କୀଟପତଙ୍ଗ ଏମାନଙ୍କର ପ୍ରମୁଖ ଖାଦ୍ୟ। କୀଟପତଙ୍ଗ ଖାଇ ସେମାନେ ଚାଷକୁ ସୁରକ୍ଷା ଦେବା ସହ ପ୍ରାକୃତିକ ସମତାକୁ ରକ୍ଷା କରନ୍ତି। ଏହି ପକ୍ଷୀମାନଙ୍କର ହ୍ରାସ ପରିବେଶ ପାଇଁ ଏକ ସତର୍କ ସଙ୍କେତ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।ପକ୍ଷୀବିତ୍ ଶ୍ୟାମସୁନ୍ଦର ମିଶ୍ରଙ୍କ କହିବା ଅନୁଯାୟୀ, ଯଦି ଏହି ପକ୍ଷୀଙ୍କୁ ସୁରକ୍ଷା ଦିଆଯିବା ନାହିଁ, ତେବେ ଆଗାମୀ ଦିନରେ ଏମାନେ କେବଳ ପୁସ୍ତକ ଓ ଚିତ୍ରରେ ସୀମିତ ହୋଇପାରନ୍ତି।

Leave a Reply

Your email address will not be published. Required fields are marked *