Sun. May 3rd, 2026

ନ୍ୟୁଜ ଡେକ୍ସ : ମଧ୍ୟପ୍ରାଚ୍ୟରେ ଲାଗିଥିବା ଯୁଦ୍ଧ ଏବେ ବିଶ୍ୱ ଅର୍ଥନୀତିକୁ ଦୋଳାୟମାନ କରିଦେଇଛି। ଇରାନ ଏବଂ ଆମେରିକା ମଧ୍ୟରେ ବଢ଼ୁଥିବା ଉତ୍ତେଜନାର ସିଧା ପ୍ରଭାବ ଅନ୍ତର୍ଜାତୀୟ ବଜାରରେ ଦେଖିବାକୁ ମିଳିଛି। ଅଶୋଧିତ ତୈଳର ଦର ବ୍ୟାରେଲ ପିଛା ୧୦୦ ଡଲାର ଅତିକ୍ରମ କରିଥିବାରୁ ଭାରତୀୟ ବଜାରରେ ମଧ୍ୟ ତାହାର ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି।

ଏହା ଫଳରେ ଆସନ୍ତା ଦିନଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲ ଦର ୫ ରୁ ୧୦ ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ବେସରକାରୀ ତୈଳ କମ୍ପାନୀମାନେ ଦର ବଢ଼ାଇବାରେ ଆଗକୁ ଆସିଛନ୍ତି। ନାୟରା ଏନର୍ଜି ପେଟ୍ରୋଲ ଦରକୁ ଲିଟର ପିଛା ୫ ଟଙ୍କା ୩୦ ପଇସା ବଢ଼ାଇଥିବା ବେଳେ ଡିଜେଲ ଦର ୩ ଟଙ୍କା ବଢ଼ାଇଛି। ଅନ୍ୟପଟେ ସରକାରୀ କମ୍ପାନୀମାନେ ସାଧାରଣ ପେଟ୍ରୋଲ ଦରକୁ ସ୍ଥିର ରଖିଥିଲେ ମଧ୍ୟ ପ୍ରିମିୟମ ପେଟ୍ରୋଲ ଓ ଇଣ୍ଡଷ୍ଟ୍ରିଆଲ ଡିଜେଲର ଦରରେ ବୃଦ୍ଧି ଘଟିଛି। ଇଣ୍ଡଷ୍ଟ୍ରିଆଲ ଡିଜେଲରେ ଲିଟର ପିଛା ପ୍ରାୟ ୨୨ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ଦେଖାଯାଇଛି।ତୈଳ ଦର ବୃଦ୍ଧି ନେଇ ଗ୍ରାହକମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ବିଭିନ୍ନ ସହରର ପେଟ୍ରୋଲ ପମ୍ପଗୁଡ଼ିକରେ ଲୋକମାନଙ୍କର ଭିଡ଼ ବଢ଼ିବାରେ ଲାଗିଛି। ଆସାମ ଓ ତେଲେଙ୍ଗାନା ଭଳି ରାଜ୍ୟରେ ଏହି ସ୍ଥିତି ଅଧିକ ଗମ୍ଭୀର ରହିଛି।

ତେବେ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ କିମ୍ବା ଡିଜେଲର କୌଣସି ଅଭାବ ନାହିଁ ଏବଂ ଗୁଜବରେ ବିଶ୍ୱାସ ନକରିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।ଅର୍ଥନୀତିଜ୍ଞମାନଙ୍କ ମତାନୁସାରେ, ମଧ୍ୟପ୍ରାଚ୍ୟରେ ଯୋଗାଣ ଶୃଙ୍ଖଳା ବିଘ୍ନ ଏବଂ ଷ୍ଟ୍ରେଟ୍ ଅଫ୍ ହରମୁଜ୍ ଦେଇ ତୈଳ ପରିବହନରେ ବାଧା ସୃଷ୍ଟି ହେବାରୁ ଆଗାମୀ ଦିନରେ ଦର ଆହୁରି ବଢ଼ିପାରେ। ମୁମ୍ବାଇ, କୋଲକାତା ଓ ଭୁବନେଶ୍ୱର ଭଳି ସହରଗୁଡ଼ିକରେ ପେଟ୍ରୋଲ ଦର ପୂର୍ବରୁ ହିଁ ୧୦୦ ଟଙ୍କା ଉପରେ ଥିବାରୁ ଏହି ବୃଦ୍ଧି ସାଧାରଣ ଲୋକଙ୍କ ଉପରେ ଅଧିକ ଆର୍ଥିକ ଚାପ ସୃଷ୍ଟି କରିବ ବୋଲି ମନେ କରାଯାଉଛି।

Leave a Reply

Your email address will not be published. Required fields are marked *