ନ୍ୟୁଜ ଡେକ୍ସ : କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଲିଗୁଡ଼ା ଥାନା ଅଧୀନ ମହାସିଙ୍ଗି ବ୍ରିଜ୍ ନିକଟରେ ଏକ ଅଜଣା ଗାଡ଼ି ବାଇକ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିବା ବେଳେ ଏହି ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି।
ବିଳମ୍ବିତ ରାତିରେ ଘଟିଥିବା ଏହି ଦୁର୍ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।ସୂଚନା ଅନୁଯାୟୀ, ଅଜଣା ଗାଡ଼ିଟି ବାଇକ୍କୁ ଅତ୍ୟନ୍ତ ଜୋରରେ ଧକ୍କା ଦେଇଥିଲା। ଫଳରେ ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଗୁରୁତର ଆହତ ଅନ୍ୟ ଦୁଇ ଜଣଙ୍କୁ ତୁରନ୍ତ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ସେମାନେ ପ୍ରାଣ ହରାଇଥିଲେ।
ମୃତ ୩ ଜଣଙ୍କର ପରିଚୟ ଏପର୍ଯ୍ୟନ୍ତ ମିଳିନଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ସୂଚନା ପାଇ ବାଲିଗୁଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଫେରାର ଗାଡ଼ିକୁ ଚିହ୍ନଟ କରିବା ସହ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି।

