Wed. Jun 3rd, 2026

ନ୍ୟୁଜ ଡେକ୍ସ : ଭଲପାଇବା, ତ୍ୟାଗ ଓ ପରିବାର ପ୍ରତି ଅମୂଲ୍ୟ ଅବଦାନ ପାଇଁ ମା’ଙ୍କୁ ସମ୍ମାନ ଜଣାଇବାର ଏକ ବିଶେଷ ଅବସର ହେଉଛି ମାତୃ ଦିବସ । ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରକୁ ଏହି ଦିବସ ପାଳନ କରାଯାଉଥିବାବେଳେ ଚଳିତବର୍ଷ ଏହା ମେ ୧୦ ତାରିଖ ରବିବାରରେ ପାଳନ କରାଯାଉଛି ।

ଏହି ଦିନ ମା’ମାନଙ୍କର ନିସ୍ୱାର୍ଥପର ଭଲପାଇବା ଓ ତ୍ୟାଗକୁ ସ୍ମରଣ କରିବା ସହ ତାଙ୍କ ପ୍ରତି କୃତଜ୍ଞତା ଜଣାଇବାର ସୁଯୋଗ ମିଳେ ।ପ୍ରାଚୀନ କାଳରୁ ମାତୃଶକ୍ତିକୁ ପୂଜା କରାଯାଉଥିଲେ ମଧ୍ୟ ଆଧୁନିକ ମାତୃ ଦିବସର ପରିକଳ୍ପନା ଆନା ଜାର୍ଭିସଙ୍କ ଦ୍ୱାରା କରାଯାଇଥିଲା । ଭାରତୀୟ ସଂସ୍କୃତିରେ ‘ମାତୃଦେବୋ ଭବ’ କହି ମା’ଙ୍କୁ ଭଗବାନଙ୍କ ସ୍ଥାନ ଦିଆଯାଇଥାଏ । ତେଣୁ ଏହି ଦିନଟି କେବଳ ଉପହାର ଦେବାରେ ସୀମିତ ନୁହେଁ, ବରଂ ମା’ଙ୍କ ଅଦୃଶ୍ୟ ପରିଶ୍ରମ ଓ ସଂଘର୍ଷକୁ ସମ୍ମାନ ଜଣାଇବାର ଏକ ମାଧ୍ୟମ ।

ପୃଥିବୀର ବିଭିନ୍ନ ସ୍ଥାନରେ ଲୋକମାନେ ଫୁଲ, କାର୍ଡ ଓ ହାତତିଆରି ଉପହାର ଦେଇ ମା’ଙ୍କୁ ଖୁସି କରୁଥିବାବେଳେ ଭାରତରେ ମା’ଙ୍କ ପସନ୍ଦର ଖାଦ୍ୟ ପ୍ରସ୍ତୁତ କରିବା ଓ ତାଙ୍କ ସହ ସମୟ ବିତାଇବାକୁ ଅଧିକ ଗୁରୁତ୍ୱ ଦିଆଯାଏ । ଆଜିକାଲି ଏହି ଦିବସ ବ୍ୟବସାୟିକ ରୂପ ନେଉଥିଲେ ମଧ୍ୟ ମା’ଙ୍କୁ ହୃଦୟରୁ କୁହାଯାଇଥିବା ଦୁଇପଦ ମିଠା କଥାରେ ହିଁ ଅସଲ ଖୁସି ଲୁଚିଥାଏ । ଏହି ଦିନ କେବଳ ଜନ୍ମଦାତ୍ରୀ ମା’ଙ୍କ ପାଇଁ ନୁହେଁ, ବରଂ ଜୀବନରେ ମା’ଙ୍କ ଭଳି ସ୍ନେହ ଓ ସହଯୋଗ ଦେଉଥିବା ଆଈ, ମାଉସୀ, ପିଉସୀ ଓ ଗୁରୁଜନମାନଙ୍କୁ ମଧ୍ୟ ସମ୍ମାନ ଜଣାଇବାର ଅବସର । ମା’ଙ୍କ ଭଲପାଇବା ପ୍ରତିଦିନ ଅନୁଭବ ହେଉଥିଲେ ମଧ୍ୟ ଆଜିର ଦିନଟି ସମ୍ପୂର୍ଣ୍ଣ ଭାବେ ତାଙ୍କ ପାଇଁ ଉତ୍ସର୍ଗିତ ।

Leave a Reply

Your email address will not be published. Required fields are marked *